ବଦଳିଲେ କଟକ ମାହାଙ୍ଗା ଥାନା ଆଇଆଇସି: ଗତକାଲି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିଲେ ନିହାରଙ୍କ ପତ୍ନୀ

450

କନକ ବ୍ୟୁରୋ: ବଦଳିଲେ କଟକ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ନିହାର ଏବେ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ମହିଳା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ରଞ୍ଜନ ମହାନ୍ତି । ସ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିବା ପରେ ନିହାର ଗତକାଲି ଭିଜିଲାନ୍ସ କାର୍ଯ୍ୟାଳୟରେ ୮ ଘଂଟାରୁ ଅଧିକ ସମୟ ଧରି ମାରାଥନ ଜେରାର ସାମ୍ନା କରିଥିଲେ ।

ନିହାର ବଦଳି ହେବା ପରେ ଭଦ୍ରେଶ୍ୱର ଏସ.ଆଇ ତପନ କୁମାର ନାୟକ ମାହାଙ୍ଗା ଥାନାର ଦାୟିତ୍ୱରେ ରହିବେ ବୋଲି ଡିଜି ସୁନୀଲ ବଂଶଲ ସୂଚନା ଦେଇଛନ୍ତି । ନିହାରଙ୍କ ପତ୍ନୀ ଗତକାଲି ଗିରଫ ହେବା ପରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ସୁନା ଅଳଙ୍କାର, ଘର, ଜମି, ବ୍ୟାଙ୍କ ପାସବୁକ, ବୀମା ରାଶି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ । ରାୟଗଡାରେ ରହୁଥିବା ନିନା ଭୁବନେଶ୍ୱରରୁ ୬ ଲକ୍ଷ ଟଙ୍କା ନେଇ କୁଆଡେ ଯାଉଥିଲେ? ଏହି ୬ ଲକ୍ଷ ଟଙ୍କା କେଉଁଠୁ ଆଣିଥିଲେ? ଭିଜିଲାନ୍ସ ଅଧିକାରୀଙ୍କୁ ଏହାର ଜବାବ ଦେଇପାରିନଥିବା ଜଣାପଡିଛି ।