ଆଜି ଗଭୀର ଅବପାତର ରୂପ ନେବ ଲଘୁଚାପ । କାଲି ସୃଷ୍ଟି ହୋଇପାରେ ବାତ୍ୟା । ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଆଶଙ୍କା ।

513

କନକ ବ୍ୟୁରୋ: ଆଜି ଗଭୀର ଅବପାତର ରୂପ ନେବ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେରେ ସୃଷ୍ଟ ଲଘୁଚାପ । ଆସନ୍ତାକାଲି ଏହା ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୪ ତାରିଖ ବେଳକୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଉତର ତାମିଲନାଡୁ ଉପକୂଳରେ ପହଞ୍ଚିବ । ଏହା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେରୋଲ ଓ ମଛଲିପଟନମ୍ ଅତିକ୍ରମ କରିବା ସମ୍ଭାବନା ରହିଛି । ଗତ ୬ ଘଂଟା ହେଲା ଏହା ୯ କିଲୋମିଟର ବେଗରେ ଗତି କରୁଛି ।

ବାତ୍ୟା ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ଆସନ୍ତାକାଲି ୪ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ ରହିଛି । ଏବଂ ୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଆଶଙ୍କା ରହିଛି । ୪ତାରିଖରେ ସେହିପରି ରାଜ୍ୟର ୫ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ୭ରୁ ୧୧ ସେଂଟିମିଟର ବର୍ଷା ହୋଇପାରେ । ସେହିପରି ୫ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଓ ୬ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଂଜାମକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୭ରୁ ୨୦ ସେଂଟିମିଟର ପର୍ଯ୍ୟନ୍ତ ହୋଇପାରେ ବର୍ଷା । ନବରଙ୍ଗପୁର, କଳାହାଣ୍ଡି, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।