କେହି କାହାକୁ ପାଟି ଖୋଲି ପ୍ରେମ ଇଜହାର୍ କରିନାହାଁନ୍ତି । ଓଠ ଖୋଲି ପ୍ରେମ ଜତେଇ ନାହାଁନ୍ତି । ହାତର ଠାରରୁ ଆରମ୍ଭ ହେଇଥିବା ପ୍ରେମ….. ବିବାହର ହାତଗଣ୍ଠିରେ ଏବେ ପୂର୍ଣ୍ଣତା ପାଇଛି । 

582

କନକ ବ୍ୟୁରୋ: କୁହନ୍ତି, ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରିହୁଏନା । ସଚ୍ଚା ପ୍ରେମକୁ ପରିପ୍ରକାଶ କରିବାକୁ ଶବ୍ଦର ଲୋଡା ବି ପଡେନା । ଇଏ ହେଉଛି ସେମିତି ଗୋଟେ ପ୍ରେମ । ଆଉ ଏମାନେ ହେଉଛନ୍ତି ସେଇ ନୀରବ ପ୍ରେମର ଦୁଇ ନୀରବ ପ୍ରେମ ପକ୍ଷୀ । ଶୁଭଶ୍ରୀ ଆଉ ସୌମ୍ୟରଞ୍ଜନ ।

କିଏ କାହାକୁ ପାଟି ଖୋଲି ପ୍ରେମର ଇଜହାର କରିନାହାଁନ୍ତି । ଓଠ ଖୋଲି କେବେ ପ୍ରେମ ଜତେଇନାହାଁନ୍ତି । ହେଲେ କଥା କହିପାରୁନଥିବା ଏ ଦିବ୍ୟାଙ୍ଗ ଯୋଡିଙ୍କର ଆଖି ହିଁ, ଦୁହିଁଙ୍କୁ ପ୍ରେମର ପହିଲି ଇସାରା ଦେଇଥିଲା । ତେବେ ଆଖିରୁ ଆରମ୍ଭ ଏ ପ୍ରେମ କାହାଣୀରେ ଶବ୍ଦର ଅଭାବ ଥାଇପାରେ ସତ, ହେଲେ ହୃଦୟର କଥାକୁ ହାତରେ କହି ହାତଗଣ୍ଠିରେ ବଦଳାଇଛି ପିରତୀର ଠାର, ଯାହା ଆଜି ଦୁହିଁଙ୍କ ପ୍ରେମକୁ ପୂର୍ଣ୍ଣତା ଦେଇଛି ।

ଶୁଭଶ୍ରୀ ଆଉ ସୌମ୍ୟରଞ୍ଜନ । ଜଣେ ଜଣକୁ ଦେଖିଥିଲେ ଆଉ ବୁଝିଥିଲେ । ମନର କଥା ଓଠରେ କହିବା ସକ୍ଷମ ନଥିଲା ସତ, ହେଲେ ଗୋଟେ ମନର ଇସାରାକୁ କିନ୍ତୁ ଆଉ ଗୋଟେ ମନ ଠିକ୍ ବୁଝିଯାଇଥିଲା । ଭୁବନେଶ୍ୱରରୁ ଭଲପାଇବା, କଲେଜ କ୍ୟାମ୍ପସରେ ପ୍ରେମ । ଆଉ ପ୍ରେମ ପରେ ପରେ ପରିବାରର ସମ୍ମତିରେ ଆଜି ଏ ଶୁଭ ପରିଣୟ, ଶୁଭ ବିବାହ, ଶୁଭ ସାହାନାଇ ।

କନିଆଁ ଶୁଭଶ୍ରୀଙ୍କ ଘର ସୋର ବ୍ଲକ ମାଣିପୁର ଅଞ୍ଚଳରେ ହୋଇଥିବା ବେଳେ, ବର ସୌମ୍ୟରଞ୍ଜନଙ୍କ ଘର ନୟାଗଡ ଜିଲ୍ଲା ରାମଚନ୍ଦ୍ରପୁର ଅଞ୍ଚଳରେ । ଦୁହେଁ ଜନ୍ମରୁ ଦିବ୍ୟାଙ୍ଗ ହେଇଥିବା ବେଳେ, ପାଟି ଖୋଲି ଦୁଇଜଣ କଥା କହିପାରନ୍ତିନି । ତେବେ ଦିବ୍ୟାଙ୍ଗ ହେଲେ ବି, ଠାରରେ ଠାରରେ ସେମାନେ ଗଢିଛନ୍ତି ନୂଆ ଜୀବନ, ଆରମ୍ଭ କରିଛନ୍ତି ନୂଆ ସଂସାର । ଆଉ ଶୁଭଶ୍ରୀଙ୍କ ସିନ୍ଥିରେ ଲାଗିଛି ସୌମ୍ୟଙ୍କ ସିନ୍ଦୂର ।

ଶୁଭଶ୍ରୀ ଆଉ ସୌମ୍ୟ ଉଭୟ ବାକ୍ ବାଧିକ ହେଇଥିବାରୁ, ଉଭୟଙ୍କ ପରିବାର ଏ ବିବାହ ପାଇଁ ଖୁବଶୀଘ୍ର ରାଜି ହେଇଯାଇଥିଲେ । ଉଭୟ ପରସ୍ପରକୁ ବିବାହ କଲେ, ତାଙ୍କ ବୈବାହିକ ଜୀବନ ଖୁସିରେ କଟିବା ସହିତ । ଦୁହେଁ ଦୁହିଁଙ୍କ ମନର କଥା ବୁଝିପାରିବେ ବୋଲି ପରିବାର ଲୋକ ଆଶା ରଖିଛନ୍ତି ।

ଦର୍ଶକ ବନ୍ଧୁ , ପ୍ରେମର ଅର୍ଥ କଣ କେହି ବି ବୁଝେଇ ପାରିବେନି । ସଚ୍ଚା ପ୍ରେମର ସଂଜ୍ଞା କଣ କେହି ବି ଦେଇପାରିବେନି । ତେବେ ହଁ ଦୁନିଆରେ ନୀରବ ପ୍ରେମ ବୋଲି ଯଦି କିଛି ଥାଏ । ତେବେ ନିଶ୍ଚୟ ଶୁଭଶ୍ରୀ ଆଉ ସୌମ୍ୟରଞ୍ଜନଙ୍କ ଏ ପ୍ରେମ ସେ ନୀରବ ପ୍ରେମର ଜ୍ୱଳନ୍ତ ମୁକସାକ୍ଷୀ ।