ଜୁନ୍ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ । ଚର୍ଚ୍ଚାରେ ଭର୍ତୃହରି, ଓମ୍ ବିର୍ଲା ଓ ଡି ପୁରନ୍ଦେଶ୍ୱରୀଙ୍କ ନାଁ ।

822

କନକ ବ୍ୟୁରୋ: ଜୁନ୍ ୨୪ରୁ ଆରମ୍ଭ ହେବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଏହାର ୨ ଦିନ ପରେ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ବାଚସ୍ପତି ପଦ ଉପରେ ବିଜେପି ସମେତ ଏନଡିଏ ସହଯୋଗୀଙ୍କ ନଜର ଥିବା ବେଳେ ଏହି ପଦ ଯେପରି ବିଜେପି ପାଖରେ ରଖିବ ସେନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଝାମଣା କରିଛନ୍ତି । ହେଲେ ବାଚସ୍ପତି ପଦ କାହାକୁ ମିଳିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ନୂଆ ବାଚସ୍ପତି ପଦ ଦୌଡ଼ରେ ପୂର୍ବତନ ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ କଟକ ସାଂସଦ ଭର୍ତୃହରି ମହତାବଙ୍କ ନାଁ ରହିଛି । ସେହିପରି ଆନ୍ଧ୍ରପ୍ରଦେଶ ବିଜେପି ମୁଖ୍ୟ ତଥା ରାଜମହେନ୍ଦ୍ରୀ ସାଂସଦ ଡି ପୁରନ୍ଦେଶ୍ୱରୀଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଚଳିତ ନିର୍ବାଚନରେ ଉଭୟ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ବିଜେପି ଭଲ ପ୍ରଦର୍ଶନ କରିଛି । ଓଡ଼ିଶାରେ ୨୧ଟି ଆସନରୁ ୨୦ଟି ବିଜୟୀ ହୋଇଛି । ତେଣୁ ଓଡ଼ିଶାରୁ ଜଣେ ବରିଷ୍ଠ ନେତାଙ୍କୁ ବାଚସ୍ପତି କରିବାକୁ ଦଳ ଚାହୁଁଥିବା କୁହାଯାଉଛି । ଏପରି ସ୍ଥଳେ ବରିଷ୍ଠ ନେତା ଭର୍ତୃହରି ମହତାବଙ୍କୁ ସୁଯୋଗ ମିଳିପାରେ ।