କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍ମର୍ମ ଅଭିଯୋଗ । ଜନ୍ମଦିନ ପାଳନ ପରେ ଘଟିଲା ଅଭାବନୀୟ କାଣ୍ଡ । ଅଭିଯୁକ୍ତ ହୋଟେଲ ମ୍ୟାନେଜର ଗିରଫ

791

କନକ ବ୍ୟୁରୋ: କଟକରୁ ଆସିଛି ମାନବିକତାକୁ ଲଜ୍ଜିତ କରୁଥିବା ଖବର । କଟକ ମଧୁପାଟଣା ଥାନା ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରି ଦେଇଛି । କଟକ ମଧୁପାଟଣା ଅଞ୍ଚଳର ଏକ ହୋଟେଲକୁ ସାଙ୍ଗସାଥୀଙ୍କ ସହ ଜନ୍ମଦିନ ପାଳନ କରିବାକୁ ଆସିଥିବା ଜଣେ ଆଇନ ପଢୁଥିବା ଛାତ୍ରୀଙ୍କୁ, ସେହି ହୋଟେଲର ମ୍ୟାନେଜର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଥାନାରେ ଏତଲା ପରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ତଦନ୍ତ ଚଲାଇଛି ।

  • କଟକରେ ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମ!
  • ଅଭିଯୁକ୍ତ ହୋଟେଲ୍ ମ୍ୟାନେଜର ଗିରଫ

ଏହା ଏମିତି ଏକ ଘଟଣା ଯାହା କଟକ ସହରରେ ଆଲୋଡନ ସୃଷ୍ଟି କରିଛି । ଅଭିଯୁକ୍ତର ଅପକର୍ମ ସଭ୍ୟ ସମାଜର ମୁଣ୍ଡକୁ ତଳକୁ କରିଦେଇଛି । ସାଙ୍ଗମାନଙ୍କ ସହିତ ଜନ୍ମଦିନ ପାଳିବା ପାଇଁ ହୋଟେଲରେ ରାତି ବିତାଇଥିବା ଜଣେ ଆଇନ ପଢ଼ୁଥିବା ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ରାତିରେ ଛାତ୍ରୀଙ୍କ ରୁମ୍ ଖୋଲାଥିବାର ସୁଯୋଗ ନେଇ ହୋଟେଲ ମ୍ୟାନେଜର ଘଟାଇଛନ୍ତି ଏଭଳି ଜଘନ୍ୟ କାଣ୍ଡ । ତେବେ ଏ ନେଇ ପୀଡିତା, କଟକ ମଧୁପାଟଣା ଥାନାରେ ଏତଲା ଦେବା ପରେ ହୋଟେଲ ମ୍ୟାନେଜରକୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ ।

ସହପାଠୀଙ୍କ ଜନ୍ମଦିନ ଥିବାରୁ ମଧୁପାଟଣା ଅଞ୍ଚଳର ଏକ ହୋଟେଲରେ ପାର୍ଟିର ଆୟୋଜନ କରିଥିଲେ ପୀଡ଼ତା । ପାର୍ଟି ସରିବା ପରେ ବୁକ୍ ହୋଇଥିବା ୪ଟି ରୁମରେ ବିଶ୍ରାମ ନେବାକୁ ଯାଇଥିଲେ ପୀଡ଼ିତା ଓ ତାଙ୍କର କିଛି ସହପାଠୀ । ପରଦିନ ସକାଳୁ ନିଜକୁ ଅସ୍ୱାଭାବିକ ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପୀଡ଼ିତା । ରୁମର କବାଟ ମଧ୍ୟ ଖୋଲାଥିଲା । ପରେ ଅନ୍ୟ ସହପାଠୀମାନେ ଆସି ତନାଘନା କରିବାରୁ ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ଏନେଇ ତୁରନ୍ତ ମଧୁପାଟଣା ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଜେରା ପରେ ଅଭିଯୁକ୍ତ ମ୍ୟାନେଜର ଦୋଷ ସ୍ୱୀକାର କରିଥିବା ଜଣାପଡିଛି । ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରିଛି ମଧୁପାଟଣା ପୋଲିସ ।