ଜମି ବଦଳରେ ଚାକିରି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ, ଲାଲୁ ଯାଦବଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ

1,079

କନକ ବ୍ୟୁରୋ : ଜମି ବଦଳରେ ଚାକିରି ମାମଲାରେ ସୋମବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି କ୍ରମରେ ମାମଲାରେ ଅଭିଯୁକ୍ତ ଲାଲୁ ଯାଦବ ଓ ତାଙ୍କ ପରିବାରର ମୋଟ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଏହି ମାମଲାରେ ପୁରା ଲାଲୁ ଯାଦବଙ୍କ ସଂପୃକ୍ତି ଥିବା ଅଭିଯୋଗ ଉପରେ ଯାଂଚ ଚାଲିଛି । ସିବିଆଇ ତରଫରୁ ଲାଲୁଙ୍କ ପରିବାର ସଦସ୍ୟଙ୍କୁ ଅନେକ ବାର ଜେରା ମଧ୍ୟ କରିସାରିଛି ।

ସେପଟେ ଏହି ମାମଲା ଉପରେ ଲାଲୁଙ୍କ ପରିବାର ଲୋକେ କହିଛନ୍ତି କି, ଏହା ଏକ ରାଜନୈତିକ ଷଡଯନ୍ତ୍ର କ୍ରମରେ ଏହି ମାମଲାକୁ ପୁଣି ଉଠାଯାଇଛି । ପ୍ରଥମରୁ ସିବିଆଇ ଏହି ମାମଲାରେ ୨ଥର ଯାଂଚ କରିସାରିଥିଲା । ହେଲେ କେହି ସାକ୍ଷୀ ଦେଇନଥିଲେ । ଏହାପରେ ସିବିଆଇ ଏହି ମାମଲାକୁ ବନ୍ଦ କରିଦେଇଥିଲା । ପୁଣି ଏହି ମାମଲାରେ ସିବିଆଇ ଏବେ ଜେରା କରି କଣ ଜାଣିବାକୁ ଚାହୁଁଛି ବୋଲି ଲାଲୁଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସୂଚନା ଥାଉକି ଜମି ବଦଳରେ ଚାକିରି ମାମଲାରେ ମେ’ମାସରେ ସିବିଆଇ ତରଫରୁ ଦେଶର ୯ଟି ସ୍ଥାନରେ ଚଢାଉ କରିଥିଲା । ଏହି ମାମଲା ୨୦୦୪ ରୁ ୨୦୦୯ ମଧ୍ୟରେ ଥିଲା । ସେତେବେଳେ ଲାଲୁ ଯାଦବ କେନ୍ଦ୍ରର ରେଳମନ୍ତ୍ରୀ ଥିଲେ । ଅଭିଯୋଗ ରହିଥିଲା କି ଲାଲୁ ଯାଦବ ରେଳ ବିିଭାଗରେ ଚାକିରି ଦେବାକୁ କହି କିଛି ଆଶାୟୀଙ୍କ ଠାରୁ ଜମି ନେଇଥିଲେ । ଏହାକୁ ନେଇ ସିବିଆଇ ଏବେ ଯାଂଚ କରୁଛି ।