କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ନୂଆମୋଡ : ଏଚ୍ଆରପିସି ଏଡିଜି ଓ କୋରାପୁଟ ଏସପିଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ, କହିଲେ, କୁନ୍ଦୁଲି ନାବାଳିକାଙ୍କ ସହ ହୋଇନାହିଁ ଗଣଦୁଷ୍କର୍ମ

25

କନକ ବ୍ୟୁରୋ : ମାସେ ଧରି କୁହୁଳୁଥିବା କୁନ୍ଦୁଲି ନିଆଁରେ ଆସିଛି ନୂଆ ମୋଡ । ଘଟଣାର ତଦନ୍ତ କରୁଥିବା ଏଚ୍ଆରପିସି ଏଡିଜି କହିଛନ୍ତି, ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇନାହିଁ । ନାବାଳିକାଙ୍କ ମେଡିକାଲ ରିପୋର୍ଟରେ ଗଣଦୁଷ୍କର୍ମ ନେଇ କୌଣସି ପ୍ରମାଣ ନାହିଁ । ଏଚଆରପିସି ଏଡିଜିଙ୍କ ସହ ଏକମତ ହୋଇଛନ୍ତି କୋରାପୁଟ ଏସପି । କହିଛନ୍ତି, ପୋଲିସ ତଦନ୍ତ ରିପୋର୍ଟରେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇନଥିବା ସ୍ପଷ୍ଟ ହେଉଛି ।

କୁହାଯାଉଛି ତଦନ୍ତ ପ୍ରଥମରୁ ହିଁ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇନଥିବା ନେଇ ପ୍ରମାଣ ପାଇସାରିଥିଲା ପୋଲିସ । ସେଥିପାଇଁ ନାବାଳିକାଙ୍କ ସମର୍କୀୟଙ୍କୁ ଡାକି ବାରମ୍ବାର ଜେରା ଚାଲିଥିଲା । ଏପରିକି ଗତ ତିନିଦିନ ଧରି ନାବାଳିକା ଓ ସମ୍ପର୍କୀୟଙ୍କ କାଉନସେଲିଂ ଚାଲିଥିଲା । ଆଉ ଘଟଣାରେ କୌଣସି ଯବାନଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଯାଇଥିଲା ।
ପୋଲିସର ଚାଂଚଲ୍ୟକର ଖୁଲାସା ପରେ ପ୍ରଶ୍ନ ଉଠୁଛି ନାବାଳିକା ଜଣକ କାହିଁକି ନିଜ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିିଲେ । ପରେ ପରେ ପୁଣି ଅଭିଯୋଗ କଲେ ଗଣଦୁଷ୍କର୍ମ ହୋଇନାହିଁ ବୋଲି କହିବାକୁ ବାଧ୍ୟ କରୁଛି ପୋଲିସ ।

ଯଦି ନାବାଳିକା ଜଣକ ମିଛ କହିଛନ୍ତି, ତେବେ ତାପଛର କାରଣ କଣ? କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ନେଇ ପୋଲିସ ତଦନ୍ତରେ ନୂଆ ଦିଗ ସାମ୍ନାକୁ ଆସିବା ପରେ ଏବେ ସମସ୍ତଙ୍କ ମନରେ ଏସବୁ ପ୍ରଶ୍ନ ଉଠିବା ସ୍ୱାଭାବିକ ।