ଶିକ୍ଷିତ ଯୁବକଙ୍କ ନିଆରା ପ୍ରୟାସ । କମ୍ପାନୀ ଚାକିରୀ ଛାଡ଼ି କରୁଛନ୍ତି ପରିବା ଚାଷ ।

222

କନକ ବ୍ୟୁରୋ : କୃଷ୍ଣପ୍ରସାଦ ବ୍ଲକ ଗୁମୁଣ୍ଡିଆ ପାଇକ ସାହି ଗାଁର ବିଶ୍ୱଜିତ ଜେନା । ଫାର୍ମା ଆବୋର୍ଟ କମ୍ପାନୀରେ ମ୍ୟାନେଜର ପଦ ଛାଡି ନିଜ ଜନ୍ମମାଟିକୁ ଆସି ନିଜର ଏକ ଏକର ଜମିରେ ଭଳିକିଭଳି ପରିବା ଚାଷ କରି ସାଉଁଠିଛନ୍ତି ସଫଳତା । କମ୍ପାନୀ ଚାକିରି ଛାଡି ନିଜର ବୁଧି ଖଟାଇ ଜମିରେ ଫଳାଉଛନ୍ତି ବିଭିନ୍ନ ପ୍ରକାର ପନିପରିବା । ଚାରି ପ୍ରକାର ବାଇଗଣ, ଜହ୍ନି ,କାକୁଡି ,ଭେଣ୍ଡି ,କଲରା ,କଖାରୁ ସାଗ ଆଦି ବିଭିର୍ଣ୍ଣ ପ୍ରକାର ପରିବା । ଆଉ ଏହି ପରିବାକୁ ବିକ୍ରୀ କରି ଲାଭବାନ ମଧ୍ୟ ହୋଇଛନ୍ତି ଯୁବ ଫାର୍ମା ମ୍ୟାନେଜର ବିଶ୍ୱଜିତ ଜେନା ।

ଦିନକୁ ମାତ୍ର ଦୁଇ ତିନି ଘଣ୍ଟା ସମୟ ଦେଉଥିବା କଥା କହିଛନ୍ତି ବିଶ୍ୱଜିତ । ପରିବା ଚାଷରେ ମାତ୍ର ୫୦ ହଜାର ଟଙ୍କା ଖର୍ଚ୍ଚ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଲାଭବାନ ହୋଇ ନିଜେ ହୋଇ ପାରିଛନ୍ତି ସ୍ୱାବଲମ୍ବୀ । ଫାର୍ମା କମ୍ପାନୀରେ ଦୀର୍ଘ ଚାରିବର୍ଷ ମ୍ୟାନେଜର ଭାବରେ ଚାକିରି କାର୍ଯ୍ୟକରିବା ପରେ ନିଜ ଗାଁରେ ରହି ଅଲଗା କିଛି କରି ନିଜ ପରିବାର ପାଖରେ ରହିବାର ନିଶା ତାଙ୍କୁ ଘାରିଥିଲା । ଯାହା ଆଜି ପନି ପରିବା ଚାଷ କରି ନିଜେ ପାଇଛନ୍ତି ସଫଳତା । ଯୁବ ଫାର୍ମା ମ୍ୟାନେଜର ବିଶ୍ୱଜିତ ଜେନାରୁ ସେ ବନି ଯାଇଛନ୍ତି ସଫଳ ପରିବା ଚାଷୀ ।

ତାଙ୍କ ସହ ତାଙ୍କ ବାପା ହାଡବନ୍ଧୁ ଜେନା ମଧ୍ୟ ଚାଷ କାର୍ଯ୍ୟରେ ସାହାର୍ଯ୍ୟ କରୁଛନ୍ତି । ତାଙ୍କ ପୁଅର ଏପରି କାର୍ଯ୍ୟ ଦେଖି ତାଙ୍କ ବାପା ମଧ୍ୟ ଖୁସି ଅଛନ୍ତି । ସକାଳ ହେଲେ ଅଞ୍ଚଳର ବିଭିନ୍ନ ଗାଁରୁ ଲୋକମାନେ ବିଶ୍ୱଜିତ ଜେନାଙ୍କ ପରିବା ଚାଷ ଜମିକୁ ଧାଇଁ ଆସୁଛନ୍ତି । ଚାଷ ଜମିକୁ ଆସି ପରିବା କିଣି ନେଉଛନ୍ତି । ସେହି ପରିବା ଖାଇବା ପରେ ଲୋକମାନେ ଆଉ ଅନ୍ୟ କେଉଁ ସ୍ଥାନରୁ ପରିବା କିଣୁ ନଥିବା କଥା କହିଛନ୍ତି । ରାଜ୍ୟ ବାହାରକୁ ନ ଯାଇ ହଇରାଣ ହରକତ ନ ହୋଇ ନିଜ ଅଞ୍ଚଳରେ ନିଜ ନିଜ ଜମିରେ ପରିବା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ପାଇଁ ଅଞ୍ଚଳର ଯୁବକମାନଙ୍କୁ ଆହ୍ୱାନ କରିଛନ୍ତି ।