ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଦୁଇ ଗାଁର ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ, ଜଣେ ମୃତ, ୨ ଆହତ

152

କନକ ବ୍ୟୁରୋ : ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଦୁଇ ଗାଁର ଦୁଇ ପରିବାର ମଧ୍ୟରେ ଲାଗି ରହିଥିବା ବିବାଦ ହତ୍ୟାକାଣ୍ଡର ରୁପ ନେଇଛି । ଗାଡି ଲାଇଟ୍ ପଡିବାରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳରେ ମୁଣ୍ଡ ଗଡିଛି । ୪ ଜଣଙ୍କ ଉପରେ ଗୋଟିଏ ପରିବାରର ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ୫୫ ବର୍ଷିୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଗୁରୁତ ଯୁବକ କୋରାପୁଟ ଓ ଆହତ ଯୁବକ ନବରଙ୍ଗପୁର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ମୃତକର ଗ୍ରାମବାସୀ ଅଭିଯୁକ୍ତର ଘରର ଅସବାବ ପତ୍ର ଜାଳି ଦେଇଥିବା ଅଭିଯୋଗ ହୋଇଛି ।

ଚଟାହାଣ୍ଡି ଗାଁ ଓ ହରିଶ୍ଚନ୍ଦ୍ର ମାଝୀଗୁଡା ଗାଁର ଦୁଇଟି ପରିବାର ମଧ୍ୟରେ ବିବାଦ ଯୋଗୁଁ ଏହି ଘଟଣା ଘଟିଛି । ଘଟଣା ଅନୁସାରେ ନବରଙ୍ଗପୁର କୋଡ଼ିଙ୍ଗା ଥାନା ଅନ୍ତର୍ଗତ ହରିଶ୍ଚନ୍ଦ୍ର ମାଝୀଗୁଡା ଗାଁର ସମନାଥ ଭତରା ଓ ତାଙ୍କ ତିନି ପୁତୁରା ଦୁଇଟି ବାଇକରେ ଚଟାହାଣ୍ଡି ଗାଁକୁ ଗଣେଷ ପୂଜା ଦେଖିବାକୁ ଯାଇଥିଲେ । ଚଟାହାଣ୍ଡି ଗାଁରେ ଯିବା ସମୟରେ ରାସ୍ତାକଡରେ ଠିଆ ହୋଇଥିବା ପୂର୍ଣ୍ଣ ହରିଜନ ମୁହଁରେ ବାଇକ ହେଡଲାଇଟ ପଡିବାରୁ ସେ ବାଇକ ଅରୋହୀଙ୍କୁ ଗାଳି ଗୁଲଜ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହି ଯୁକ୍ତିତର୍କ ହତ୍ୟାର ରୂପ ନେଇଛି । ପୂର୍ଣ୍ଣ ହରିଜନ ଓ ତାଙ୍କ ଦୁଇ ଭାଇ ଈଶ୍ୱର ହରିଜନ, ତୁଳେଶ୍ୱର ହରିଜନ ଏବଂ ବାପା ସୁକ୍ର ହରିଜନ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମହାଦେବ ଭତରାଙ୍କ ବେକ କଟିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ନାରାୟଣ ଭତରାଙ୍କ ବେକ ବି କଟିଯାଇଛି, ତାଙ୍କୁ କୋରାପୁଟ ମେଡିକାଲ କଲେଜରେ ଭର୍ତି କରାଯାଇଛି । ସୋମନାଥ ଭତରା, କାନ୍ଧରେ ଛୁରୀ ବାଜିଛି, ତାଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତି କରାଯାଇଛି । ରତନ ଭତରା ଘଟଣାସ୍ଥଳରୁ ଦୌଡ଼ି ପଳାଇବାରୁ ବଂଚିଯାଇଛି ।

ଏପଟେ ମୃତକଙ୍କ ଗାଁ, ହରିଶ୍ଚନ୍ଦ୍ରମାଝୀଗୁଡାର ଶତାଧିକ ଲୋକ ଚଟାହାଣ୍ଡି ଗାଁକୁ ଯାଇ ଅଭିଯୁକ୍ତର ଘରରେ ନିଆଁ ଲଗାଇ ଦେଇଛନ୍ତି । ପୋଲିସ ନିଆଁକୁ ଲିଭାଇ ଦେଇଥିବା ବେଳେ ଘରର ସମସ୍ତ ଅସବାବ ପତ୍ର ପୋଡି ଯାଇଛି । ଚଟାହାଣ୍ଡି ଗାଁରେ ଉତେଜନା ଲାଗି ରହିଥିବାରୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ଜଗି ବସିଛନ୍ତି । ଏହି ଘଟଣାର ଚାରି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ସୁକୃ ହରିଜନ ଓ ତୁଳେଶ୍ୱର ହରିଜନକୁ କୋଡ଼ିଙ୍ଗା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣ ହରିଜନ ଓ ଈଶ୍ୱର ହରିଜନ ଏବେ ବି ଫେରାର ଅଛନ୍ତି ।