କୋଣାର୍କ ଦେଖିଲା ବର୍ଷର ଶେଷ ସୂର୍ଯ୍ୟୋଦୟ : ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟ ଉଦୟର ମନୋରମ ଦୃଶ୍ୟ ଉପଭୋଗ କରିବାକୁ ଚନ୍ଦ୍ରଭାଗା କୂଳରେ ପର୍ଯ୍ୟଟକଙ୍କ ଭିଡ

271

କନକ ବ୍ୟୁରୋ : ଚଳିତ ବର୍ଷର ଶେଷ ସୂର୍ଯ୍ୟୋଦୟ । କୋଣାର୍କ ଚନ୍ଦ୍ରଭାଗା ନିକଟରୁ କ୍ୟାମେରାରେ କଏଦ ହୋଇଛି ୨୦୧୯ର ଶେଷ ସୂର୍ଯ୍ୟୋଦୟ । ଫର୍ଚ୍ଚା ଆକାଶରେ କଅଁଳ ସୂର୍ଯ୍ୟର ଉଦୟ ଦୃଶ୍ୟ ବେଶ ମନୋରମ । ବର୍ଷର ଶେଷ ସୂର୍ଯ୍ୟୋଦୟକୁ ଦେଖିବା ପାଇଁ ଚନ୍ଦ୍ରଭାଗା କୂଳରେ ପର୍ଯ୍ୟଟକଙ୍କ ଭିଡ ଜମିଛି । ଉଦୟ ସୂର୍ଯର ଅରୁଣିମା ସମୁଦ୍ରରେ ପ୍ରତିବିମ୍ବ ସୃଷ୍ଟି କରି ପର୍ଯ୍ୟଟକଙ୍କ ମନ ମୋହୁଛି । ଶାନ୍ତ, ଶୀତଳ ପରିବେଶରେ ବିଦାୟୀ ବର୍ଷର ସୂର୍ଯ୍ୟୋଦୟ ଦେଖିବାକୁ ପର୍ଯ୍ୟଟକ ଭିଡ ଜମାଇଛନ୍ତି ।

ସେପଟେ ନୂଆ ବର୍ଷ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଠାକୁର ଦର୍ଶନ ସହ ନୂଆବର୍ଷ ଆରମ୍ଭ କରିବା ପାଇଁ ଓଡ଼ିଆ ଲୋକଙ୍କ ଭିତରେ ବେଶ ଆଗ୍ରହ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ପ୍ରଶାସନ ପକ୍ଷରୁ ଏହି ବ୍ୟାପକ ବ୍ୟବସ୍ଥା କରାଯାଉଛି ।ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ନୂଆବର୍ଷ ପାଇଁ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ୮ଶହ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ରାତିରେ ଶୀଘ୍ର ପହୁଡ଼ ପଡ଼ିବ । ଜାନୁୟାରୀ ୧ ତାରିଖ ରାତ୍ର ୧୨ଟାରେ ଦ୍ୱାର ଫିଟିବ । ସେହିପରି ମଙ୍ଗଳଆଳତୀ ୧ଟା, ରୋଷହେମ ୪ଟା, ମଇଲମ ଓ ତଡ଼ପ ଲାଗି ୪ଟା ୩୦, ଅବକାଶ ୫ଟା ୧୫, ସୂର୍ଯ୍ୟପୂଜା ୫ଟା ୪୫, ଦ୍ୱାରପାଳ ପୂଜା ୬ଟା, ବେଶଶେଷ ୬ଟା୩୦ ପାଇଁ ନୀତି ନିର୍ଘଂଟ ସ୍ଥିର ହୋଇଛି । ଅନ୍ୟପଟେ ମଧ୍ୟାହ୍ନ ଧୂପ ୧୧ଟାରୁ ୧୨ଟା୩୦ ଏବଂ ଭକ୍ତଙ୍କ ଭିଡ଼କୁ ଦୃ୍ଷ୍ଟିରେ ରଖି ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ । ତେବେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦେଖି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ମହାପ୍ରସାଦ ବାହାରିବାର ବ୍ୟବସ୍ଥା କରାଯାଇଛି ।