କ୍ରିକେଟରୁ ସନ୍ୟାସ ନେବେ କି କୋହଲି? ସୋସିଆଲ ମିଡ଼ିଆରେ ବିରାଟଙ୍କ ପୋଷ୍ଟକୁ କ୍ରିକେଟପ୍ରେମୀଙ୍କ ମନରେ ଭରିଲା ଛନକା ।

414

କନକ ବ୍ୟୁରୋ : କ୍ରିକେଟରୁ ଅବସର ନେବେ କି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ଏଭଳି ଏକ ଚର୍ଚ୍ଚା ଏବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଆରମ୍ଭ ହୋଇଛି । ଆଉ ଏଭଳି ଚର୍ଚ୍ଚାର ସୃଷ୍ଟି ହୋଇଛି କୋହଲିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରୁ । କୋହଲିଙ୍କ ଗୋଟିଏ ଫଟୋ ପୋଷ୍ଟ କ୍ରିକେଟପ୍ରେମୀଙ୍କ ମନରେ ଛନକା ଭରିଛି । ଟି-୨୦ ବିଶ୍ୱକପ ପରେ କୋହଲି କିଛି ଦିନର ବ୍ରେକ ନେଇଛନ୍ତି । ଏପରିକି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ଦୂରେଇ ରହିଛନ୍ତି କୋହଲି । ଆଉ ଏଭଳି ସମୟରେ କୋହଲି ସୋସିଆଲ ମିଡ଼ିଆରେ ଯେଉଁ ପୋଷ୍ଟ ସେୟାର କରିଛନ୍ତି ତାହା କ୍ରିକେଟପ୍ରେମୀଙ୍କ ହାର୍ଟବିଟ୍ ବଢାଇ ଦେଇଛି ।

୨୬ ନଭେମ୍ବରରେ କୋହଲି ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ଇନିଂସକୁ ଖାସ୍ ବୋଲି କହିଛନ୍ତି କୋହଲି । କ୍ରିକେଟ ଖେଳରେ ଏଭଳି ଉର୍ଜା ପୂର୍ବରୁ କେବେ ଅନୁଭବ କରିନଥିଲି ବୋଲି କୋହଲି କହିଛନ୍ତି । ୨୩ ଅକ୍ଟୋବର କେତେ ସୁନ୍ଦର ସନ୍ଧ୍ୟା ମୋ ପାଇଁ ଥିଲା ବୋଲି କୋହଲି ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । କୋହଲିଙ୍କ ଏହି ପୋଷ୍ଟକୁ କ୍ରିକେଟପ୍ରେମୀ କିନ୍ତୁ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିଛନ୍ତି ।

କୋହଲି ଯେଉଁ ପୋଷ୍ଟ ସେୟାର କରିଛନ୍ତି, ସେଥିରେ ପଡିଆରୁ ପ୍ୟାଭିଲିୟନ ଫେରୁଥିବାର ଫଟୋ ରହିଛି । ଆଉ ଏହି ଗୋଟିଏ ଫଟୋ ହିଁ କୋହଲିଙ୍କ କ୍ରିକେଟରୁ ସନ୍ୟାସ ନେବା ଚର୍ଚ୍ଚାକୁ ବଳ ଦେଇଛି । ଏହି ଫଟୋ ଦେଖିବା ପରେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ କ୍ରିକେଟପ୍ରେମୀ । ଆଉ ଏହାପରେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡକୁ ଆସିଥିଲେ କୋହଲି । କ୍ରିକେଟପ୍ରେମୀ ମାନେ କୋହଲିଙ୍କୁ କ୍ରିକେଟରୁ ଏବେ ଅବସର ନ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଏପରିକି କିଛି ୟୁଜର୍ସ ଲେଖିଥିଲେ, ଆହୁରି ୫ ବର୍ଷ ଖେଳନ୍ତୁ କୋହଲି, ୨୦୨୭ ପୂର୍ବରୁ ଅବସର ନେବା କଥା ଚିନ୍ତା ମଧ୍ୟ କରନ୍ତୁ ନାହିଁ । ସେହିଭଳି କିଛି ୟୁଜର୍ସ କହିଛନ୍ତି, ଏଭଳି ପୋଷ୍ଟ କରନ୍ତୁ ନାହିଁ ହାର୍ଟବିଟ୍ ବଢିଯାଉଛି ।

୨୦୨୨ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଅବିସ୍ମରଣୀୟ ଇନିଂସ ଖେଳିଥିଲେ କୋହଲି । କୋହଲିଙ୍କ ୮୨ ରନର ଇନିଂସ ଭାରତକୁ କେବଳ ମ୍ୟାଚ୍ ବିଜୟୀ କରିନଥିଲା ବରଂ ହଜାର ହଜାର ଭାରତୀୟ କ୍ରିକେଟପ୍ରେମୀଙ୍କ ହୃଦୟ ଜିଣିନେଇଥିଲା । ପୂରା ଦେଶରୁ କୋହଲିଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାର ସୁଅ । କାରଣ ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ସଙ୍କଟମୋଚକ ସାଜିଥିଲେ କୋହଲି । କେବଳ ପାକିସ୍ତାନ ବିପକ୍ଷ ମ୍ୟାଚ୍ ନୁହେଁ ବରଂ ପୂରା ଟି-୨୦ ବିଶ୍ୱକପରେ ଗର୍ଜିଥିଲା କୋହଲିଙ୍କ ବ୍ୟାଟ । ଏପରିକି ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର ସାଜିଥିଲେ କୋହଲି । ତେବେ ଭାରତ ସେମିଫାଇନାଲରେ ପରାଜିତ ହୋଇ ଟି-୨୦ ବିଶ୍ୱକପ୍ ଅଭିଯାନ ଶେଷ କରିଥିଲା । ଆଉ ଏହାସହ କୋଟି କୋଟି ଭାରତୀୟ କ୍ରିକେଟପ୍ରେମୀଙ୍କ ସ୍ୱପ୍ନ ପୁଣିଥରେ ଭାଙ୍ଗିଥିଲା ।

କୋହଲିଙ୍କ ଏହି ପୋଷ୍ଟ ସହ କ୍ରିକେଟରୁ ଅବସର ନେବାର ସଂଯୋଗ ଏଥିପାଇଁ ଯୋଡାଯାଉଛି କାରଣ ୨ ବର୍ଷ ପୂର୍ବେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ ସିଂ ଧୋନୀ ମଧ୍ୟ ସମାନ ଷ୍ଟାଇଲରେ ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ୧୫ ଅଗଷ୍ଟ ୨୦୨୦ରେ ଧୋନୀ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଆଉ ନିଜ ପୋଷ୍ଟରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ତେଣୁ ହଠାତ୍ କୋହଲି ଏଭଳି ଏକ ପୋଷ୍ଟ କରିବାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।