ଜିତିଲା ଭାରତ, ତାତିଲା ବାଂଲାଦେଶ । କୋହଲିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବାଂଲାଦେଶ କ୍ରିକେଟର ।

2,339

କନକ ବ୍ୟୁରୋ : ବର୍ଷା ବାଧାପ୍ରାପ୍ତ ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ମାତ୍ ଦେଇ ଟି-୨୦ ବିଶ୍ୱକପ ସେମିଫାଇନାଲର ନିକଟତର ହୋଇଛି ଟିମ୍ ଇଣ୍ଡିଆ । ବିରାଟଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଓ ବୋଲରଙ୍କ ମାପଚୁପ୍ ବୋଲିଂ ଆଗରେ ଶେଷରେ ମୁଣ୍ଡ ନୁଆଇଁଥିଲା ବାଂଲାଦେଶ । କିନ୍ତୁ ଏହି ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବାଂଲାଦେଶର କ୍ରିକେଟର ଓ କ୍ରିକେଟପ୍ରେମୀ । କାରଣ ମ୍ୟାଚ୍ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବାଂଲାଦେଶ ସପକ୍ଷରେ ଥିଲେ ମଧ୍ୟ ଏହାକୁ ବିଜୟରେ ପରିଣତ କରିପାରିନଥିଲା ସାକିବଙ୍କ ଟିମ । ଏପରିକି ପରାଜୟ ପରେ ମୁଣ୍ଡରୁ ଦୋଷ ଛଡାଇବାକୁ ନୂଆ ବାହାନା ଆରମ୍ଭ କରିଛି ବାଂଲାଦେଶ । ପରାଜୟ ପାଇଁ ସିଧାସଳଖ ବିରାଟ କୋହଲିଙ୍କୁ ନିଶାନା କରିଛି ବାଂଲାଦେଶ । ଏପରିକି ବାଂଲାଦେଶର କ୍ରିକେଟର ନୁରୁଲ ହସନ କହିଛନ୍ତି, ଯଦି ପଡିଆରେ କୋହଲିଙ୍କର ହରକତ ଅମ୍ପାୟାର ଦେଖିଥାନ୍ତେ ତେବେ ପେନାଲ୍ଟି ବାବଦକୁ ବାଂଲାଦେଶକୁ ୫ ରନ୍ ମିଳିଥାନ୍ତା ଓ ବାଂଲାଦେଶ ବିଜୟୀ ହୋଇପାରିଥାନ୍ତା । ଆଉ ନୁରୁଲଙ୍କ ଏଭଳି ଅଭିଯୋଗ ପରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପର ପର୍ବ ।

ବିରାଟ କୋହଲିଙ୍କ ଫିଲ୍ଡିଂକୁ ନେଇ ବାଂଲାଦେଶର କ୍ରିକେଟର ନୁରୁଲ ହସନ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି । ତେବେ ପୂରା ଘଟଣା କଣ ଥିଲା ଓ ବାଂଲାଦେଶ ଏଭଳି ଅଭିଯୋଗ କାହିଁକି କରୁଛି ତାହା ଜାଣିବାର ଆବଶ୍ୟକତା ରହିଛି । ନୁରୁଲ ହସନଙ୍କ ଅନୁଯାୟୀ, ମ୍ୟାଚ୍ ଚାଲିଥିବା ବେଳେ ଏମିତି ଗୋଟିଏ ମୁହୂର୍ତ୍ତ ଆସିଥିଲା ଯେତେବେଳେ ବିରାଟ କୋହଲି ମିଛ ଫିଲ୍ଡିଂର ଅଭିନୟ କରିଥିଲେ । ଆଉ ଏହି ସମୟରେ ବାଂଲାଦେଶର ଦୁଇ ଖେଳାଳୀ ରନ୍ ନେବାରେ ବ୍ୟସ୍ତ ଥିଲେ । କିନ୍ତୁ ବିରାଟଙ୍କ ଏହି ମିଛ ଫିଲ୍ଡିଂ ଅମ୍ପାୟାରଙ୍କ ନଜରକୁ ଆସିନଥିଲା । ଯଦି ଏମିତି ହୋଇଥାନ୍ତା ତେବେ ଭାରତକୁ ଦଣ୍ଡ ସ୍ୱରୂପ ବାଂଲାଦେଶ ଟିମକୁ ଅତିରିକ୍ତ ୫ ରନ୍ ମିଳିଥାନ୍ତା । ଆଉ ଏହାଦ୍ୱାରା ବାଂଲାଦେଶ ମ୍ୟାଚ୍ ଜିତିପାରିଥାନ୍ତା ।

ଆଡିଲେଡରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ବର୍ଷା କିଛି ସମୟ ପାଇଁ ମ୍ୟାଚରେ ବାଧା ସୃଷ୍ଟି କରିଥିଲା । କିନ୍ତୁ ବର୍ଷା ପୂର୍ବରୁ ପଡିଆରେ କୋହଲିଙ୍କର ଏକ ମିଛ ଫିଲ୍ଡିଂ ଅଭିନୟକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଅକ୍ଷର ପଟେଲଙ୍କ ବଲକୁ ଅଫ ସାଇଡରେ ଏକ ସଟ୍ ଖେଳି ରନ୍ ନେଉଥିବା ବେଳେ ଅର୍ଶଦୀପ ସିଂ ଏହାକୁ ଥ୍ରୋ କରିଥିଲେ । କିନ୍ତୁ ଏହି ଥ୍ରୋ କୋହଲିଙ୍କ ପାଖରେ ଯାଇଥିଲେ ମଧ୍ୟ ଏହାକୁ ଧରିନଥିଲେ । ବରଂ ବଲ ଧରିବା ସହ ଏହାକୁ ଥ୍ରୋ କରିବାର ମିଛ ଅଭିନୟ କରିଥିଲେ କୋହଲି । ଯାହା କ୍ୟାମେରାରେ କଏଦ ହୋଇଥିଲା ସତ କିନ୍ତୁ ଅମ୍ପାୟର କିମ୍ବା ଅନ୍ୟ କୌଣସି ଖେଳାଳୀଙ୍କ ନଜରକୁ ଆସିନଥିଲା । ଯାହାଫଳରେ ଏହାକୁ ନେଇ ବିବାଦ ମଧ୍ୟ ଉପୁଜିନଥିଲା ।

ଆଇସିସିର ନିୟମ ଅନୁଯାୟୀ, କେହି ଫିଲ୍ଡର ଜାଣିଶୁଣି ବ୍ୟାଟରଙ୍କ ଧ୍ୟାନଭଙ୍ଗ, ଭ୍ରମିତ କରିଲେ କିମ୍ବା ବାଧା ଦେଲେ ତେବେ ଅମ୍ପାୟାର ଏହାକୁ ଡେଡ୍ ବଲ ଘୋଷଣା କରିବା ସହ ବ୍ୟାଟିଂ କରୁଥିବା ଟିମକୁ ଅତିରିକ୍ତ ୫ ରନ୍ ଦେଇଥାନ୍ତି । ଯେହେତୁ ବାଂଲାଦେଶର ବ୍ୟାଟର କୋହଲିଙ୍କ ଆଡକୁ ଆଦୌ ଚାହିଁନଥିଲେ ତେଣୁ ଭ୍ରମିତ ହେବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଭାରତୀୟ କ୍ରିକେଟପ୍ରେମୀ କହିଛନ୍ତି । ତେଣୁ ନିଜ ମୁଣ୍ଡରୁ ଅଠା ଛଡାଇବାକୁ ବାଂଲାଦେଶ କ୍ରିକେଟର ଏଭଳି ମିଛ ବାହାନା କରୁଥିବା କହିଛନ୍ତି ଭାରତୀୟ କ୍ରିକେଟ ପ୍ରଂଶସକ ।