ଓଠକୁ ଚୁମ୍ବନ କରିବା ଅପ୍ରାକୃତିକ ଅପରାଧ ନୁହେଁ । ଯୌନ ଉତ୍ପୀଡନ ମାମଲାରେ ଅଭିଯୁକ୍ତକୁ ଜାମିନ୍ ଦେଲେ ବମ୍ବେ ହାଇକୋର୍ଟ । 

492

କନକ ବ୍ୟୁରୋ: ଓଠକୁ ଚୁମ୍ବନ କରିବା ଏବଂ ଶରୀର କୌଣସି ଅଙ୍ଗକୁ ଛୁଇଁବା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଅନୁସାରେ ଅପରାଧ ନୁହେଁ । ଆଇପିସି ଧାରା ୩୭୭ ଅନୁସାରେ ଏହାକୁ ଅପ୍ରାକୃତିକ ଅପରାଧ ଶ୍ରେଣୀ ଭୁକ୍ତ କରିହେବ ନାହିଁ । ଏକ ଯୌନ ଉତ୍ପୀଡନ ମାମଲାର ବିଚାର କରି ଏଭଳି କହିଛନ୍ତି ବମ୍ବେ ହାଇକୋର୍ଟ । ଖାଲି ସେତିକି ନୁହେଁ, ଜଷ୍ଟିସ ଅନୁଜା ପ୍ରଭୁଦେଶାଇ ଏହି ମାମଲାରେ ଅଭିଯୁକ୍ତଙ୍କୁ ଜାମିନ୍ ମଧ୍ୟ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ଜଣେ ନାବାଳକର ପିତା ତାଙ୍କ ପୁଅ ପ୍ରତି ଯୌନ ଉତ୍ପୀଡନ ହୋଇଥିବା ନେଇ ପ୍ରଥମେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପୁଅ ମୁମ୍ବାଇର ଏକ ଅନଲାଇନ୍ ଗେମ୍ ଦୋକାନରେ ରିଚାର୍ଜ କରିବାକୁ ଯାଇଥିଲା । ଏହି ସମୟରେ ଦୋକାନୀ ଜଣକ ତାଙ୍କ ଓଠକୁ ଚୁମ୍ବନ କରିବା ସହିତ ତାଙ୍କ ଯୌନାଙ୍ଗକୁ ଛୁଇଁଥିଲେ । ଏହାପରେ ପୀଡିତଙ୍କ ବାପା ଏନେଇ ଅଭିଯୋଗ କରିବା ସହିତ ପୋକ୍ସୋ ଅଧିନିୟମ ଅନୁସାରେ ମାମଲା ଦାୟର କରିଥିଲେ । ହେଲେ ବମ୍ବେ ହାଇକୋର୍ଟ ଏହି ବିଷୟରେ ବିଚାର କରି ଏହାକୁ ଅପ୍ରାକୃତିକ ଅପରାଧ ନୁହେଁ ବୋଲି କହିବା ସହିତ ଅଭିଯୁକ୍ତକୁ ଜାମିନ୍ ପ୍ରଦାନ କରିଛନ୍ତି ।

ଆଇପିସି ଧାରା ୩୭୭ ଅନୁସାରେ ଦୋଷୀଙ୍କୁ ଏଭଳି ମାମଲାରେ ଆଜୀବନ ଜେଲ ଦଣ୍ଡାଦେଶ ସହ ଜାମିନ୍ ପ୍ରଦାନ କରିବା କଷ୍ଟକର ହୋଇତାଏ ।  ହେଲେ ଜଷ୍ଟିସ୍ ପ୍ରଭୁଦେଶାଇ କହିଛନ୍ତି, ସମ୍ପୃକ୍ତ ଯୁବକଙ୍କର ମେଡିକାଲ ପରୀକ୍ଷାରେ ଯୌନ ଉତ୍ପୀଡନ ହୋଇଥିବା ନେଇ କୌଣସି ପୃଷ୍ଟି ନାହିଁ ବୋଲି କହିଛନ୍ତି । ତା ସହିତ ଏଭଳି କେସରେ ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କରାଯାଇପାରିବ ବୋଲି କହିଛନ୍ତି ।

ଅନ୍ୟପଟେ ହାଇକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ଗତ ଏକ ବର୍ଷ ହେଲା ଜେଲରେ ବନ୍ଦ ଅଛି । ଏହି ମାମଲାର ଶୁଣାଣି ଜଲଦି ମଧ୍ୟ ଆରମ୍ଭ ହେବାର ସମ୍ଭାବନା ନାହିଁ । ତେଣୁ ଅଭିଯୁକ୍ତକୁ ୩୦ ହଜାର ଟଙ୍କା ବଦଳରେ ଜାମିନ୍ ପ୍ରଦାନ କରାଯାଇଥିବା ନେଇ ସେ କହିଛନ୍ତି ।