ରୁଷରେ କିମ୍ ଜୋଙ୍ଗ ଉନ : ସାଙ୍ଗରେ ଅଛନ୍ତି ସେନା ଓ ବୈଦେଶିକ ଅଧିକାରୀ; ପୁଟିନ ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ

236

କନକ ବ୍ୟୁରୋ : ସ୍ୱତନ୍ତ୍ର ଟ୍ରେନରେ ଯାଇ ରୁଷିଆରେ ପହଞ୍ଚିଲେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ । ଉତ୍ତର କୋରିଆର ପ୍ୟୋଙ୍ଗୟାଙ୍ଗ ସହରରୁ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରି ରୁଷିଆର ପୂର୍ବତଟ ସହର ଖାସନରେ ପହଞ୍ଚିଛନ୍ତି । ପୁଟିନ ପ୍ରଶାସନ ପକ୍ଷରୁ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି । କିମ୍ ଜୋଙ୍ଗ ଉନଙ୍କ ସହ ଉତ୍ତର କୋରିଆର ସେନା ଓ ବୈଦେଶିକ ଅଧିକାର ମଧ୍ୟ ଉପସ୍ଥିତ ଅଛନ୍ତି । ବିଦେଶ ଗସ୍ତ ପାଇଁ କିମ ଜୋଙ୍ଗ ଉନ ଏକ ସ୍ୱତନ୍ତ୍ର ଟ୍ରେନ ବ୍ୟବହାର କରନ୍ତି । ଯେଉଁଥିରେ ଯାତ୍ରା କରି ସେ ରୁଷିଆର ଖାସନରେ ପହଞ୍ଚିଛନ୍ତି ।

ଖାସନ ଠାରୁ ପ୍ରାୟ ୧୫୦କିଲୋମିଟର ଦୂର ରୁଷିଆର ବନ୍ଦର ସହର ଭ୍ଲାଡିଭଷ୍ଟୋକରେ ରୁଷ ରାଷ୍ଟ୍ରପତି ପୁଟିନ ଓ ଉତରକୋରିଆର ରାଷ୍ଟ୍ରମୁଖ୍ୟ କିମ ଜୋଙ୍ଗ ଉନଙ୍କ ମଧ୍ୟରେ ବୈଠକ ବସିବ । ଯେଉଁ ଗୁପ୍ତ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଏଥିପାଇଁ ଭ୍ଲାଡିଭଷ୍ଟୋକରେ ପୂର୍ବରୁ ପହଞ୍ଚି ସାରିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦୁଇ ରାଷ୍ଟ୍ରନେତାଙ୍କ ବୈଠକକୁ ନେଇ ଉଭୟ ଦେଶ ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ଅର୍ଥାତ ଆଜି ସନ୍ଧ୍ୟାରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇପାରେ । ଏହି ବୈଠକରେ ଯୁଦ୍ଧାସ୍ତ୍ରକୁ ନେଇ ବୁଝାମଣା ସ୍ୱାକ୍ଷାରିତ ହୋଇପାରେ ବୋଲି କୁହାଯାଉଛି ।

ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ରୁଷ ଉପରେ ପ୍ରତିବନ୍ଧକ ଲାଗିଛି । ତେଣୁ ଉତରକୋରିଆକୁ ଯୁଦ୍ଧାସ୍ତ୍ର ଯୋଗାଇ ରୁଷ ନିଜ ରାଜସ୍ୱ ବଢାଇବାକୁ ଚାହୁଁଛି ବୋଲି ଆମେରିକା, ଜାପାନର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅନ୍ୟପଟେ ନିଜ ପରମାଣୁ ଶକ୍ତି ଓ ଦୂରଗାମୀ କ୍ଷେପଣାସ୍ତ୍ର କ୍ଷମତା ବଢାଇବାକୁ ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ବ୍ୟଗ୍ର ଅଛନ୍ତି । ତେଣୁ ଏହି ଦୁଇ ନେତାଙ୍କ ଗୁପ୍ତ ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି ।