ୟୁପିରେ ବିଜେପିକୁ ଝଟକା । ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ । 

409

କନକ ବ୍ୟୁରୋ: ୟୁପିରେ ବିଜେପି ବଡ ବିଜୟ ମୁହାଁ ହୋଇ ଲଗାତାର ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତା ଅକ୍ତିଆର କରିବା ଦିଗରେ ଅଗ୍ରସର ହେଉଛି । ବର୍ତ୍ତମାନ ସୁଦ୍ଧା ବିଜେପି ୨୭୩ ସିଟରେ ଆଗୁଆ ଥିବାବେଳେ, ସମାଜବାଦୀ ପାର୍ଟି ବହୁ ପଛରେ ଅର୍ଥାତ ୧୨୫ ସିଟରେ ଆଗୁଆ ଅଛି । ହେଲେ ଏହାରି ଭିତରେ ବିଜେପିକୁ ଲାଗିଛି ବଡ ଝଟକା । ଦଳର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ ଆସନରୁ ନିର୍ବାଚନ ହାରି ଯାଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ପଲ୍ଲବୀ ପଟେଲଙ୍କଠାରୁ ୟୁପି ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ୭୩୩୭ ଭୋଟରେ ହାରିଯାଇଥିବା ସୂଚନା ମିଳିଛି ।

ତେବେ ସିରାଥୁ ଆସନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଏପରିକି କିଛି ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ନଜର ଆସିଥିଲା । ମତଗଣନା ସ୍ଥଳରେ ପଥରମାଡ ଓ ପୋଲିସ ସହ ଧସ୍ତାଧସ୍ତି ହେବା ଖବର ଶୁଣିବାକୁ ମିଳିଥିଲା । ତେବେ ରି-କାଉଣ୍ଟିଂ ଦାବିରେ ବିଜେପି ଏଜେଣ୍ଟ ଏପରି ହଙ୍ଗାମା କରିଥିଲେ । ହେଲେ ପରିଶେଷରେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସିରାଥୁ ଆସନରୁ ହାରି ଯାଇଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ସହର ଆସନରୁ ବଡ ବିଜୟ ହାସଲ କରିଛନ୍ତି । ଏହା ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିବାବେଳେ, ଯୋଗୀ ସମାଜବାଦୀ ପାର୍ଟିର ପ୍ରାର୍ଥୀଙ୍କୁ ପରାସ୍ତ କରି ନିର୍ବାଚନରେ ଜିତାପଟ ହାସଲ କରିଛନ୍ତି । ସେହିପରି ସପା ପ୍ରମୁଖ ଅଖିଳେଶ ଯାଦବ ମଧ୍ୟ ନିଜ ଆସନ କରହାଲରୁ ବିଜୟ ଲାଭ କରିଛନ୍ତି ।