କେନ୍ଦୁଝରର ବାଘଧରା ନାଳରେ ପୋଲ ନିର୍ମାଣ ଦାବି ଜୋର ଧରିଲା : ପୋଲ ନ କଲେ ୨୧୫ ନଂ ଜାତୀୟ ରାଜପଥକୁ ଅବରୋଧ କରିବାପାଇଁ ଗ୍ରାମବାସୀଙ୍କ ଚେତାବନୀ

38

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ଦୈନଦିନ ଜିବାଆସିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ସେହି ଯୋଜନା ମଧ୍ୟରେ ଅନେକ ସ୍ଥାନରେ ରାସ୍ତାମଧ୍ୟ ନିର୍ମାଣ କରାଯାଉଛି । ତେବେ ବାରମ୍ବାର ଗୁହାରି ସତ୍ତେ୍ୱ ମଧ୍ୟ ଅନେକ ଗ୍ରାମ ବର୍ତ୍ତମାନ ସମୟରେ ବି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ତେବେ ଏହା କୈାଣସି ଦୁର୍ଗମ ଅଞ୍ଚଳର ନୁହେଁ ବରଂ କେନ୍ଦୁଝର ସହର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂରରେ ରହିଛି । ପାଣିକୋଇଲି-ରାଜମୁଣ୍ଡାକୁ ସଂଯୋଗ କରୁଥିବା ୨୧୫ ନଂ ଜାତୀୟ ରାଜପଥଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ନରଣପୁର ଅଞ୍ଚଳର ସମସ୍ୟା । ଏହି ଅଞ୍ଚଳକୁ ଯିବା ପାଇଁ ହେଲେ ରାଜପଥ ଓ ଗ୍ରାମ ମଧ୍ୟରେ ଏକ ଛୋଟ ନାଳ ପଡେ ଯାହାକୁ ସ୍ଥାନୀୟ ଅଞ୍ଚଳରେ ବାଘଧରା ନାଳ କହନ୍ତି ।

 

ତେବେ ନିତିଦିନିଆ ଯିବା ଆସିବା ପାଇଁ ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମରେ ଏକ ବାଉଁଶ ପୋଲ ନିର୍ମାଣ କରିଛନ୍ତି ସତ କିନ୍ତୁ ଏହି ପୋଲଟି ପ୍ରତ୍ୟେକ ବର୍ଷାଦିନ ସମୟରେ ଭାସିଯାଇଥାଏ । ଯେଉଁ କାରଣରୁ ବର୍ଷାଦିନ ୪ ମାସ ଲୋକମାନେ ନିଜ ଗ୍ରାମରେ ହିଁ ବନ୍ଦିହୋଇ ରହନ୍ତି । ଗ୍ରାମରେ ଶତାଧିକ ଲୋକ ବାସ କରିଥିବା ବେଳେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ପ୍ରତ୍ୟେକ ବର୍ଷା ସମୟରେ ଖସାପିଟା, ବାଦୁଡିଘେରା, ବଡପଣ ଏବଂ କାଣ୍ଡସର ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଏହି ବର୍ଷା ୪ ମାସ ଗ୍ରାମର ଲୋକମାନେ ନାହିନଥିବା ଅସୁବିଧାର ସମୁଖୀନ ହୋଇଥାଆନ୍ତି । ଅନେକ ସମୟରେ ଡେଲିଭରି ପ୍ୟାସେଣ୍ଟ ମଧ୍ୟ ନାଳମଧ୍ୟରେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ମେଡିକାଲକୁ ଚିକିତ୍ସାପାଇଁ ଯାଇଥାଆନ୍ତି ।

 

ସମସ୍ୟା ଏତିକିରେ ସମାପ୍ତ ହୋଇନାହିଁ ସବୁଦିନ ପିଲାମାନେ ସ୍କୁଲ ଯିବାଆସିବାରେ ମଧ୍ୟ ଅନେକ ଅସୁବିଧାର ସମୁଖୀନ ହୋଇଥାଆନ୍ତି । ତେବେ ଅନେକ ଥର ଦାବି ହେବା ପରେ ପ୍ରଶାସନ ସେଠାରେ ଏକ ପୋଲ ନିର୍ମାଣ କରିବା ପାଇଂ ପ୍ରତିଶୃତି ଦେଇ ହାତଉପରେ ହାତ ବାନ୍ଧି ବସିଯାଏ । କିନ୍ତୁ ଚଳିତଥର ଗ୍ରାମବାସୀମାନେ ପୋଲ ନିର୍ମାଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇବା ଲାଗି କହିବାରୁ ସ୍ଥାନୀୟ ବିଡିଓ ବାଘଧରା ନାଳରେ ଏକ ସ୍ଥାୟୀପୋଲ ନିର୍ମାଣ କରିବେ ବୋଲି ବିଡିଓ ପ୍ରତିଶୃତି ଦେଇଛନ୍ତି । ତେବେ ଦେଖାଯାଉ ପ୍ରତ୍ୟେକ ଥର ପରି ପ୍ରଶାସନ ପ୍ରତିଶୃତି ଦେଇଛି ନା ପ୍ରକୃତରେ ଲୋକମାନଙ୍କ ସମସ୍ୟାକୁ ଅନୁତାପ କରି ସେଠାରେ ଏକ ପୋଲ ନିର୍ମାଣ କରୁଛି ।