ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ନୁହଁନ୍ତି ଡିକେ ଶିବକୁମାର, ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସିଦ୍ଦରମୈୟାଙ୍କ ଅପେକ୍ଷା

1,448

କନକ ବ୍ୟୁରୋ : କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ଏବେ ବି ନିଷ୍ପତ୍ତି ହୋଇପାରି ନାହିଁ । ଗୋଟିଏ ପଟେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡିବସିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବି ଦୌଡରୁ ନିଜକୁ ଦୂରେଇ ନାହାଁନ୍ତି । ଏନେଇ ଦୀର୍ଘ ୪ଦିନ ହେବ ଦିଲ୍ଲୀରେ ମନ୍ଥନ ଜାରି ରହିଛି । କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ ରଣଦୀପ ସୁରଜୱାଲା କହିଛନ୍ତି କି, ଆଗାମୀ ୪୮-୭୨ ଘଂଟା ମଧ୍ୟରେ କର୍ଣ୍ଣାଟକରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ ହୋଇଯିବ ।

ସେପଟେ କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ଡିକେ ଶିବକୁମାର ନିଜ ଭାଇ ତଥା ପାର୍ଟିର ସାଂସଦ ଡିକେ ସୁରେଶଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପହଂଚିଛନ୍ତି । ସେଠାରେ ସେ ଗଣମାଧ୍ୟମକୁ କହିଛନ୍ତି କି ମିଥ୍ୟା ଅପପ୍ରଚାର ଉପରେ ବିଶ୍ୱାସ କରନ୍ତୁ ନାହିଁ ।

ସୂତ୍ର ସୂଚନା ମୁତାବକ କଂଗ୍ରେସ ହାଇକମାଣ୍ଡ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦେବାକୁ ରାଜି ଅଛନ୍ତି । ହେଲେ ଶିବକୁମାର ଉପ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ନଥିବା କଥା ଜଣାପଡିଛି । ଅନୁମାନ କରାଯାଉଛି କି ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଡିକେ ଶିବକୁମାର ଦିଲ୍ଲୀରେ ରହିପାରନ୍ତି ।

ସେପଟେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ନେତା ଡିକେ ଶିବକୁମାର ଓ ସିଦ୍ଦରମୈୟା ଉଭୟ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ସେପଟେ ସୁୂରଜୱାଲା କହିଛନ୍ତି କି,କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିଚାରବିମର୍ଷ କରୁଛନ୍ତି ।