କର୍ଣ୍ଣାଟକ ପରାଜୟ ବିଜେପି ପାଇଁ ହେବ କି ବୁମେରାଂ? ୨୦୨୪ ଜିତିବା ହେବ କେତେ କଷ୍ଟକର?

344

କନକ ବ୍ୟୁରୋ: ବିଜେପି ପାଇଁ କର୍ଣ୍ଣାଟକ ପରାଜୟ ହେବ କି ବୁମେରାଂ? ୨୦୨୪ ଲୋକସଭା ନିର୍ବାଚନ ଉପରେ ପ୍ରଭାବ ପକାଇବ କି ଏହି ନିର୍ବାଚନ? କର୍ଣ୍ଣାଟକ ଫଳାଫଳ ଆସିବା ପରେ ଏବେ ଏମିତି କିଛି ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପ୍ରଚଣ୍ଡ ବହୁମତ ମିଳୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ମୋଟ ୨୨୪ ବିଧାନସଭା ସିଟରୁ ପାଖାପାଖି ୧୩୦ ସିଟ୍ କଂଗ୍ରେସ ସପକ୍ଷରେ ଯାଇପାରେ ବୋଲି କୁହାଯାଉଛି । ଅନ୍ୟପଟେ ବିଜେପିକୁ କର୍ଣ୍ଣାଟକରେ କେବଳ ୬୫ ଭିତରେ ସିଟ୍ ମିଳିପାରେ । ତେଣୁ ଏପରି ସ୍ଥିତିରେ କର୍ଣ୍ଣାଟକ ପରାଜୟ, ବିଜେପିର ମିଶନ୍-୨୦୨୪ ପାଇଁ ବଡ ଟେନସନ୍ ଆଣିଛି ।

ସୂଚନାଯୋଗ୍ୟ ଯେ, ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ୪୦୦ ସିଟ୍ ଜିତିବାର ଲକ୍ଷ୍ୟ ରଖିଛି । ଏହି ଦୃଷ୍ଟିରୁ କର୍ଣ୍ଣାଟକ ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିଲା । ହେଲେ ଏପରି ସ୍ଥିତିରେ କିନ୍ତୁ ବିଜେପି କର୍ଣ୍ଣାଟକରେ ସତ୍ତା ହାସଲ କରିବାରୁ ଏଥର ବଞ୍ଚିତ ହୋଇଛି । ତେଣୁ ଆଗାମୀ ଦିନରେ ବିଜେପି ୪୦୦ ସିଟ୍ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି ।

କର୍ଣ୍ଣାଟକରେ କମିପାରେ ସିଟ୍

ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ, ଲୋକସଭା ନିର୍ବାଚନ ଉପରେ ବି ପଡିବା ଏକପ୍ରକାର ନିଶ୍ଚିତ । ଗତ ୨୦୧୯ ମସିହାରେ କର୍ଣ୍ଣାଟକରେ ୨୮ଟି ଲୋକସଭା ସିଟରୁ ୨୫ଟି ଲୋକସଭା ସିଟ୍ ବିଜେପି ଖାତାକୁ ଯାଇଥିଲା । ସେହିପରି ଗୋଟିଏ ସିଟ୍ ସ୍ୱାଧୀନ ପ୍ରାର୍ଥୀ ଜିତିଥିବାବେଳେ, ଜଣେ କଂଗ୍ରେସ ଏବଂ ଜଣେ ଜେଡିଏସ୍ ପ୍ରାର୍ଥୀ ଲୋକସଭା ଆସନ ଜିତିଥିଲେ । ହେଲେ କର୍ଣ୍ଣାଟକରେ ୨୦୨୩ ବିଧାନସଭା ନିର୍ବାଚନର ପ୍ରଭାବ ୨୦୨୪ ଲୋକସଭା ନିର୍ବାଚନ ଉପରେ ପଡିପାରେ । ଆଗାମୀ ଦିନରେ ଲୋକସଭା ଆସନରେ ବିଜେପିର ସିଟ୍ ସଂଖ୍ୟା କମିପାରେ, ଏବଂ କର୍ଣ୍ଣାଟକରେ କଂଗ୍ରେସର ଲୋକସଭା ସିଟ୍ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ତେଣୁ ବିଜେପି ଯେଉଁ ୪୦୦ ସିଟ୍ ଜିତିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି, ସେଥିରେ କଣ୍ଟା ହୋଇପାରେ କର୍ଣ୍ଣାଟକ ଫଳାଫଳ ।

୫ ରାଜ୍ୟରେ କମିପାରେ ବିଜେପିର ସିଟ୍ ସଂଖ୍ୟା

ଖାଲି ସେତିକି ନୁହେଁ, କର୍ଣ୍ଣାଟକ ସହିତ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମହାରାଷ୍ଟ୍ରରେ ମଧ୍ୟ ବିଜେପିର ସିଟ୍ ସଂଖ୍ୟା କମିପାରେ ବୋଲି କୁହାଯାଉଛି । ୨୦୧୯ ନିର୍ବାଚନରେ ବିଜେପିକୁ ପଶ୍ଚିମବଙ୍ଗରେ ୪୨ରୁ ୧୮ଟି ସିଟ୍ ମିଳିଥିବାବେଳେ, ମହାରାଷ୍ଟ୍ରରେ ୪୮ରୁ ୨୩, କର୍ଣ୍ଣାଟକରେ ୨୮ରୁ ୨୫, ବିହାରରେ ୪୦ରୁ ୧୭, ଝାଡଖଣ୍ଡରେ ୧୪ରୁ ୧୨ଟି ସିଟରେ ବିଜୟ ମିଳିଥିଲା । ଏହି ୫ ରାଜ୍ୟରେ ମୋଟ ୧୭୨ଟି ଲୋକସଭା ଆସନ ଥିବାବେଳେ, ବିଜେପି ନିଜ ଦମରେ ୯୮ଟି ସିଟ୍ ଜିତିଥିଲା ଏବଂ ବିଜେପିର ସହଯୋଗୀ ଦଳ ୪୨ଟି ସିଟ୍ ଜିତିଥିଲେ । ଯାହାଫଳରେ ବିଜେପି ଏବଂ ବିଜେପି ସହଯୋଗୀ ଦଳ ୧୭୨ ସିଟରୁ ୧୪୦ଟି ସିଟରେ ବିଜୟ ହାସଲ କରିଥିଲେ । ହେଲେ ୨୦୨୪ ଲୋକସଭା ନିର୍ବାଚନରେ କିନ୍ତୁ ଏହି ୫ ରାଜ୍ୟରେ ବିଜେପିର ସିଟ୍ ସଂଖ୍ୟା ହ୍ରାସ ପାଇପାରେ ବୋଲି ଆକଳନ କରାଯାଉଛି ।ମହାରାଷ୍ଟ୍ରରେ ବି ମିଳିନପାରେ ସଫଳତା

ମହାରାଷ୍ଟ୍ରର ରାଜନୈତିକ ସମୀକରଣ ବଦଳିସାରିଛି । ୨୦୧୯ରେ ବିଜେପି ଏଠି ଶିବସେନା ସହିତ ମିିଶି ନିର୍ବାଚନ ଲଢିଥିଲା ସତ, ହେଲେ ଶିବସେନା କିନ୍ତୁ କଂଗ୍ରେସ ଏବଂ ଏନସିପି ସହ ମିଶି ସରକାର ଗଠନ କରିଥିଲା । ଏହାପରେ ବିଜେପି ଏକନାଥ ସିନ୍ଦେଙ୍କ ସହ ମିଶି ସେଠାରେ ପୁଣି ସରକାର ଗଠନ କରିଛି । ହେଲେ ଏକାଧିକ ସର୍ଭେରେ କିନ୍ତୁ ମହାବିକାଶ ଅଘାଡି ମେଣ୍ଟ ପଟେ ଲୋକଙ୍କ ସମର୍ଥନ ଥିବା କୁହାଯାଉଛି । ସର୍ଭେ ମୁତାବକ, ଆଗାମୀ ଲୋକସଭା ନିର୍ବାର୍ଚନରେ ୪୮ଟି ଆସନରୁ ମହାବିକାଶ ଅଘାଡି ମେଣ୍ଟ ପାଖକୁ ୩୪ଟି ଆସନ ଯାଇପାରେ । ତେଣୁ ମହାରାଷ୍ଟ୍ରରେ ମଧ୍ୟ ବିଜେପିକୁ ସେତେଟା ସଫଳତା ମିଳିନପାରେ । ଯେଉଁ କାରଣରୁ ୨୦୨୪ ନିର୍ବାଚନ ପାଇଁ ବିଜେପି ପାଇଁ ବଡ ଟେନସନ୍ ଆଣିପାରେ ।

ବିଜେପିର ସାଉଥ୍ ମିଶନକୁ ଝଟକା

ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ, କେରଳ, ପୁଡୁଚେରୀ, ତାମିଲନାଡୁ, ତେଲେଙ୍ଗାନାରେ ବିଜେପି ଏପର୍ଯ୍ୟନ୍ତ ନିଜର ସଙ୍ଗଠନ ସୁଦୃଢ କରିପାରିନି । ଦକ୍ଷିଣ ଭାରତର ଏହି ୬ଟି ରାଜ୍ୟରେ ୧୩୦ ଲୋକସଭା ଆସନ ଥିବାବେଳେ, ମୋଟ ଲୋକସଭା ଆସନର ଏହା ପାଖାପାଖି ୨୫ ପ୍ରତିଶତ । ତେଣୁ ୨୦୨୪ ଜିତିବାକୁ ହେଲେ, ଦକ୍ଷିଣ ଭାରତରେ ବିଜୟ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ହେଲେ ୨୦୨୪ ଫାଇନାଲ ପୂର୍ବରୁ କର୍ଣ୍ଣାଟକ ସେମିଫାଇନାଲରେ ପରାଜୟ ବିଜେପି ପାଇଁ ଟେନସନ୍ ବୃଦ୍ଧି କରିଛି ।