ସିଏସି ଅଧ୍ୟକ୍ଷ ପଦରୁ କପିଲ ଦେବଙ୍କ ଇସ୍ତଫା। ବିସିସିଆଇ ଏଥିକ୍ସ କମିଟିର ନୋଟିସ ପରେ କପିଲ ପଦରୁ ଇସ୍ତଫା ଦେଇଥିବା ଚର୍ଚ୍ଚା

ବ୍ୟକ୍ତିଗତ ସ୍ୱାର୍ଥକୁ ସୁରକ୍ଷା ଦେଉଥିବା ଅବିଯୋଗରେ ହୋଇଥିଲା ନୋଟିସ୍

295

କନକ ବ୍ୟୁରୋ:  ସିଏସି ବା କ୍ରିକେଟ ଏଡଭାଇଜରି କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ କପିଲ ଦେବ । କପିଲ ଦେବ ଇସ୍ତଫା ଦେବା ନେଇ ଔପଚାରିକ ଭାବେ ଘୋଷଣା କରିପାରନ୍ତି ସିଓଏ ବିନୋଦ ରାୟ । ବିସିସିଆଇର ଏଥିକ୍ସ କମିଟିର ନୋଟିସ ପରେ କପିଲ ଦେବ ନିଜ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି । କନଫ୍ଲିକ୍ଟ ଅଫ ଇଂଟରେଷ୍ଟ ଅର୍ଥାତ ବ୍ୟକ୍ତିଗତ ସ୍ୱାର୍ଥକୁ ସୁରକ୍ଷା ଦେଉଥିବା ଅଭିଯୋଗରେ କପିଲ ଦେବଙ୍କୁ ନୋଟିସ କରିଥିଲେ ଏଥିକ୍ସ ଅଧିକାରୀ ଡିକେ ଜୈନ । ପୂର୍ବରୁ ଇସ୍ତଫା ଦେଇଥିଲେ ଅନ୍ୟତମ ସଦସ୍ୟ ଏସ୍ ରଙ୍ଗାସ୍ୱାମି । ତାଙ୍କୁ ମଧ୍ୟ ଏଥିକ୍ସ କମିଟି ନୋଟିସ ଜାରି କରିଥିଲା ।

କପିଲ ତାଙ୍କର ଇସ୍ତଫା ପତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିସିସିଆଇ ପରିଚାଳନା ଲାଗି  କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସଙ୍କୁ ଇମେଲ ମାଧ୍ୟମରେ ପଠାଇ ଦେଇଛନ୍ତି । ଇସ୍ତଫାର କୌଣସି କାରଣ ଦର୍ଶାଇ ନାହାନ୍ତି କପିଲ୍ । ୨୦୧୯ ଜୁଲାଇ ମାସରେ କପିଲ ଦେବଙ୍କୁ  କ୍ରିକେଟ ଆଡଭାଇଜରି କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା । ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଦଳର ମୁଖ୍ୟ କୋଚ ଚୟନ ଦାୟିତ୍ୱ ଏହି କମିଟି ଉପରେ ନ୍ୟସ୍ତ କରାଯାଇଥିଲା । ତେବେ ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍  ଆଜୀବନ ସଦସ୍ୟ ଡି.କେ ଜୈନ୍ ଅଭିଯୋଗ ଆଣିଥିଲେ କି କପିଳ୍ ଦେବ ଓ ଶାନ୍ତା ରଙ୍ଗାସ୍ୱାମୀ ବ୍ୟବସାୟ ଓ ଅନ୍ୟ କାର୍ଯ୍ୟାକଳାପରେ ସଂପୃକ୍ତି ଥିବାରୁ ଏପରି ପଦବିରେ ରହିବା ଯୁକ୍ତିଯୁକ୍ତ ନୁହେଁ । ଏଥିଲାଗି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ।ଏହାପରେ ଶାନ୍ତା ରଙ୍ଗାସ୍ୱାମୀ ଇସ୍ତଫା ଦେଇଥିଲେ ଓ କପିଲ୍ ଆଜି ଇସ୍ତଫା ଦେଇଛନ୍ତି ।