ଭୟ ଭିତରେ ଆଶ୍ୱସ୍ତି ଆଣିଲା କାନପୁର ମଡେଲ: ‘ଭାରତରେ ହର୍ଡ ଇମ୍ୟୁନିଟି ଯୋଗୁଁ ପଡିବନି ପ୍ରଭାବ’

495

କନକ ବ୍ୟୁରୋ: ଚୀନରେ କରୋନା ବିସ୍ଫୋରଣର ଖବର ପରେ ଭାରତୀୟଙ୍କ ମନରେ ପୁଣି ମହାମାରୀ ଭୟ ଫେରିଛି । କିନ୍ତୁ ଏପଟେ, ଆଇଆଇଟି କାନପୁର ଦେଶରେ ସଂକ୍ରମଣକୁ ନେଇ ବଡ ଦାବି କରିଛି । ଆଇଆଇଟି କାନପୁର ମାଥମେଟିକ୍ସ ମଡେଲ କହିଛି, ଦେଶର ୯୮ପ୍ରତିଶତ ଲୋକଙ୍କ ପାଖରେ କରୋନା ମୁକାବିଲା ପାଇଁ ପ୍ରାକୃତିକ ପ୍ରତିରୋଧକ ଶକ୍ତି ରହିଛି । ତେଣୁ ଭୟ କରିବାର କୌଣସି କାରଣ ନାହିଁ ।

ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି, ‘ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା କିଛି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇପାରନ୍ତି, ଆଉ ସେଥିପାଇଁ କରୋନାର ଛୋଟ ଲହର ଭାରତରେ ଦେଖା ଦେଇପାରେ । କିନ୍ତୁ ଦେଶର ୯୮ପ୍ରତିଶତ ଲୋକଙ୍କ ପାଖରେ ପ୍ରାକୃତିକ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥିବାରୁ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ଚୀନ, ଜାପାନ, ଦକ୍ଷିଣ କୋରିଆ, ଆମେରିକାରେ ବିଏଫ- ୭ ଭୂତାଣୁ ଯୋଗୁଁ ସଂକ୍ରମଣ ବଢୁଛି । ହେଲେ ଭାରତରେ ହର୍ଡ ଇମ୍ୟୁନିଟି ଯୋଗୁଁ ସେତେଟା ପ୍ରଭାବ ଦେଖାଯାଇ ନପାରେ ।’

ବର୍ତମାନ ସୁଦ୍ଧା ଭାରତରେ ନୂଆ ପ୍ରଜାତି ଭୂତାଣୁରେ ମାତ୍ର ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁଜୁରାଟରେ ୨ ଜଣ ଏବଂ ଓଡିଶାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ କେହି ବିଏଫ- ୭ ଭୁତାଣୁରେ ସଂକ୍ରମିତ ହୋଇଥିବା ଖବର ମିଳି ନାହିଁ । କିନ୍ତୁ ଲୋକଙ୍କୁ ସତର୍କ ରହିବାକୁ ଉପଦେଶ ଦେଉଛନ୍ତି ସରକାର ।

ଚିନ୍ତା ବଢାଇଲା ଚୀନ ଭୂତାଣୁ । ଚୀନରେ ଭୟାବହ ସ୍ଥିତି ପରେ ଭାରତରେ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ବିଭିନ୍ନ ରାଜ୍ୟରେ କୋଭିଡ୍ ଡାକ୍ତରଖାନାକୁ ପୁଣିଥରେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଯଦି କରୋନାର ଆଉ ଏକ ଲହର ଆସେ ତାହାଲେ ଏହାର ମୁକାବିଲା କିପରି କରାଯିବ, ସେନେଇ ଡାକ୍ତରଖାନା ଗୁଡିକରେ ବି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳୁଛି ଏପଟେ କରୋନା ମୁକାବିଲା ପାଇଁ ଭାରତକୁ ଏକ ନୂଆ ଅସ୍ତ୍ର ମିଳିଛି । ଦେଶକୁ ବୁଷ୍ଟର ଡୋଜ ଭାବେ ଭାରତ ବାୟୋଟେକ ଦ୍ୱାର ପ୍ରସ୍ତୁତ ବିଶ୍ୱର ପ୍ରଥମ ନାଜାଲ ଭ୍ୟାକ୍ସିନ ଇନକୋଭାକ୍-କୁ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର ।

ଡିସିଜିଆଇର ଅନୁମତି ପରେ ଏହି ଟିକାକୁ ଭାରତ ସରକାର ମଂଜୁର କରିଛନ୍ତି । ଏହି ଟିକାକୁ ବାହୁର ନଦେଇ ନାକରେ ସ୍ପ୍ରେ କରାଯାଇଥାଏ । ଏସଂପର୍କରେ ଗତକାଲି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ । କହିଛନ୍ତି, କରୋନା ରୂପ ବଦଳାଇ ପୁଣି ସାମ୍ନାକୁ ଆସୁଛି, ସଂକ୍ରମଣ ରୋକିବା ପାଇଁ ଭାରତ ସରକାର ସବୁ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି । ତେଣୁ ନାଜାଲ ଭ୍ୟାକ୍ସିନକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରିବାକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ଇନକୋଭାକ୍ ଭ୍ୟାକ୍ସିନର କେଇ ବୁନ୍ଦା ନାକରେ ପକାଇ କରୋନାରୁ ସମସ୍ତଙ୍କୁ ସୁରକ୍ଷିତ ରଖାଯାଇପାରିବ ।