ଯବାନଙ୍କ AK-47 ନେଇ ପଳାଇଲେ ଆତଙ୍କବାଦୀ । ଆତଙ୍କୀଙ୍କ ଗୁଳିରେ ୩ଯବାନ ସହିଦ

537

କନକ ବ୍ୟୁରୋ: ଗତକାଲି ଜମ୍ମୁ-କାଶ୍ମୀର କୁଲଗ୍ରାମରେ ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ୩ଜଣ ଯବାନ ସହିଦ ହୋଇଛନ୍ତି । ଅନେକ ସମୟରେ ଜମ୍ମୁ-କାଶ୍ମୀରରେ ଯବାନ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥାଏ । କେବେ କେବେ ଆତଙ୍କୀଙ୍କ ଗୁଳିରେ ଯବାନ ସହିଦ ହେଉଥିବା ବେଳେ ଅନେକ ଆତଙ୍କୀଙ୍କୁ ମଧ୍ୟ ନିପାତ କରିଥାନ୍ତି ଭାରତୀୟ ଯବାନ । କିନ୍ତୁ ଗତକାଲି ହୋଇଥିବା ଗୁଳିବିନିମୟରେ ୩ଜଣ ଯବାନ ସହିଦ୍ ହୋଇଥିବା ବେଳେ ଆତଙ୍କବାଦୀମାନେ ତାଙ୍କର ୪ଟି ଏକେ-୪୭ ରାଇଫଲ ଚୋରେଇ ନେଇଛନ୍ତି ।

କୁଲଗ୍ରାମ୍ ଜିଲ୍ଲା ହଲ୍ଲନ ଅଞ୍ଚଳର ଏକ ଉଚ୍ଚା ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା । ଏହା ପରେ ସେନା ଯବାନ ସେହି ଅଞ୍ଚଳକୁ ଘେରାବନ୍ଦି କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସେପଟେ ଆତଙ୍କବାଦୀମାନେ ଖବର ପାଇ ସୁରକ୍ଷାକର୍ମୀଙ୍କ ଉପରକୁ ଅନ୍ଦାଧୁନ୍ ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ୩ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ୩ଯବାନ ସହିଦ୍ ହୋଇଛନ୍ତି । ତେବେ ଗୁଳିମାଡ ଭିତରେ ସେନା ଯବାନଙ୍କ ୪ଟି ଏକେ-୪୭ ବନ୍ଧୁକକୁ ଚୋରେଇ ନେଇଛନ୍ତି ଆତଙ୍କବାଦୀ । ଆଉ ଏବେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।