ରଥଯାତ୍ରାର ଶେଷ ପର୍ବ, ଆଜି ନୀଳାଦ୍ରି ବିଜେ: ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରୁଛନ୍ତି ତିନି ଠାକୁର

148

କନକ ବ୍ୟୁରୋ: ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ୧୨ ଦିନର ମାନବୀୟ ଲୀଳାଖେଳା ପରେ ଆଜି ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି ତିନିଠାକୁର । ରଥାରୁଢ଼ ଠାକୁର ଗୋଟିପହଣ୍ଡିରେ ରତ୍ନସିଂହାସନକୁ ଫେରୁଛନ୍ତି । ନୀତିନିର୍ଘଂଟ ଅନୁସାରେ, ଆଜି ଭୋରରୁ ତିନିରଥରେ ମଙ୍ଗଲ ଆଳତୀ ପରେ ଅନ୍ୟ ନୀତି ଆଗକୁ ବଢିଥିଲା । ଅପରାହ୍ନରେ ସାଢେ ଗୋଟାଏରୁ ସାଢେ ୩ଟା ଭିତରେ ୩ ରଥରେ ଚାରବନ୍ଧା ସରିବା ପରେ ସିଂହାସନ ମାଜଣା ହୋଇଥିଲା । ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହୋଇଥିଲା । ରାତି ୧୦ଟା ସୁଦ୍ଧା ପହଣ୍ଡି ଶେଷ ହେବ । ସିଂହାସନକୁ ବିଜେ ପରେ ମହାସ୍ନାନ ହେବ । ଏହାପରେ ଅନ୍ୟନୀତି ଆଗକୁ ବଢିବ । ଶ୍ରୀମନ୍ଦିର ପ୍ରବେଶ ବେଳେ ମାଆ ଲକ୍ଷ୍ମୀ ଠାକୁରାଣୀଙ୍କ ମାନ ଭଂଜନ କରିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ରଥଯାତ୍ରାରେ ଯିବାବେଳେ ସାଙ୍ଗରେ ନେଇ ନଥିବାରୁ ଅଭିମାନ କରିଥିଲେ ମାଆ ଲକ୍ଷ୍ମୀ । ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରବେଶ ବେଳେ କାଳିଆ ଠାକୁରଙ୍କୁ ମନ୍ଦିରରେ ପ୍ରବେଶ କରାଇ ଦେଇ ନଥାନ୍ତି । ଶେଷରେ ରସଗୋଲା ଖୁଆଇ ମାଆ ମାଆ ଲକ୍ଷ୍ମୀଙ୍କ ମାନ ଭଂଜନ ପରେ ହିଁ ଶ୍ରୀମନ୍ଦିରରେ ପ୍ରବେଶ କରିଥାନ୍ତି ଶ୍ରୀ ଜଗନ୍ନାଥ ।