ଡିଏନ ଗ୍ରୁପ୍ ମୁଖ୍ୟଙ୍କୁ ପଚରାଉଚରା, ଖୋଳତାଡ଼ କରୁଛି ଆୟକର ବିଭାଗ । ଭୁବନେଶ୍ୱର ସହିଦନଗର ଜମି ଦୁର୍ନୀତି ମାମଲାରେ ଡିଏନ ହୋମ୍ସକୁ ଟାଣିଲା କଂଗ୍ରେସ

268

କନକ ବ୍ୟୁରୋ: ତିନି ଦିନର ରେଡ୍ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଛି ଆୟକର ବିଭାଗ । କର୍ମଚାରୀଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ପରେ ଆୟର ଉତ୍ସ ଜାଣିବାକୁ ତଦନ୍ତ ହେଉଛି । ଟିକସ ଫାଙ୍କି, ଏହି ସବୁ ଟଙ୍କା ଠୁଳ କରାଯାଇଛି କି ନାହିଁ ଜାଣିବାକୁ ଉଦ୍ୟମ କରୁଛି ଆଇଟି ବିଭାଗ । ସେପଟେ ସହିଦ ନଗର ଜମି ଦୁର୍ନୀତି ମାମଲାରେ ଡିଏନ ହୋମ୍ସକୁ ଟାଣିଛି କଂଗ୍ରେସ । କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗରେ ସରକାରଙ୍କୁ ଟାର୍ଗେଟ କରିଛି ।

  • ଡିଏନ୍ ଗ୍ରୁପ ମୁଖ୍ୟଙ୍କୁ ପଚରାଉଚରା
  • ୩ ଦିନର ଚଢ଼ାଉ ପରେ ଜେରା

୩ ଦିନର ଚଢାଉ ପରେ ଡିଏନ୍ ଗ୍ରୁପ ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକଙ୍କୁ ପଚରାଉଚରା । ରେଡ୍ ବେଳେ କର୍ମଚାରୀଙ୍କ ଘରୁ କୋଟି କୋଟି ଟଙ୍କା ମିଲିବା ଘଟଣାରେ ଜେରା କରିଛି ଆୟକର ବିଭାଗ । ଆଜି ସକାଳୁ ଡିଏନ୍ ଗ୍ରୁପ ମୁଖ୍ୟ ଜଗଦିଶ ପ୍ରସାଦ ନାୟକ, ଭୁବନେଶ୍ୱର ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପଚରାଉଚରା କରିଥିଲେ ଆୟକର ବିଭାଗର ଅଧିକାରୀ । ଏପରିକି ଡିଏନ୍ ଗ୍ରୁପ କାର୍ଯ୍ୟାଳୟରେ ଆଇଟି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଗୁରପ୍ରିତ ସିଂ ମଧ୍ୟ ପହଞ୍ଚିଥିଲେ ।

ତେବେ ଆଇଟି ଚଢ଼ାଉର ତୃତୀୟ ଦିନରେ ଏକାଧିକ ଲୋକଙ୍କୁ ଜେରା କରାଯାଇଛି । ଟିକସ ଫାଙ୍କି ଅଭିଯୋଗରେ ଆକାଉଣ୍ଟାଣ୍ଟଙ୍କୁ ପଚରାଉଚରା କରିଛନ୍ତି ଆୟକର ଅଧିକାରୀ । ଗୁରୁବାର ଚଢ଼ାଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତି ଦୁଇଟି ଟ୍ରଲି ବ୍ୟାଗ୍ ଜବତ ହୋଇଥିଲା । ସଂପୃକ୍ତ ଅଧିକାରୀଙ୍କୁ ହେପାଜତକୁ ନେଇ ଆୟକର ବିଭାଗ ଜେରା କରିଛି । ଏପଟେ ସହିଦନଗର ଜମି ଦୁର୍ନୀତି ମାମଲାରେ ଡିଏନ୍ ଗ୍ରୁପକୁ ଟାଣିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ଆଣିଛି ସାଂଘାତିକ ଅଭିଯୋଗ ।

କଂଗ୍ରେସର ଅଭିଯୋଗ

  • ସହିଦନଗରରେ ଶାନ୍ତିନଗର ଆବାସ ଯୋଜନା ମାଧ୍ୟମରେ ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦିଆଯାଉଛି
  • ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରଥମେ ପାରମିତା ସ୍ୱାଟ୍ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ସହ ଚୁକ୍ତି କରାଯାଇଥିଲା
  • ୨୦୧୮ରେ ଏହାକୁ ଡିଏନ୍ ହୋମ୍ସ ପ୍ରାଇଭେଟ୍ ଲିମିଟେଡ ଅଧିଗ୍ରହଣ କଲା ଓ ସରକାର ସଂସ୍ଥାକୁ ଅନୁକମ୍ପା ପ୍ରଦର୍ଶନ କରିଥିବା କଂଗ୍ରେସ ଅଭିଯୋଗ କରିଛି

ଗୋଟିଏ ପଟେ ଡିଏନ ଗ୍ରୁପ ଉପରେ ଆଇଟି ଚଢାଉ, ଅନ୍ୟପଟେ ଡିଏନ ହୋମ୍ସ ସହ ଯୋଡି ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ ବଡ ଧରଣର ରାଜନୈତିକ ହଟଚମଟ ସୃଷ୍ଟି କରିଛି ।