ସହିଦ ଝିଅକୁ ସଲାମ କଲେ ପିତା ! ଝିଅକୁ ନବବଧୂ ବେଶରେ ଦେଖିବା ଇଚ୍ଛା ଇଚ୍ଛାରେ ହିଁ ରହିଗଲା,ମା’ଜେଜେମାଙ୍କ କରୁଣ କାନ୍ଦରେ ଫାଟିପଡିଲା ଘର ।
ଘରର ବଢିଲା ଝିଅ ତ୍ରିରଙ୍ଗା ପତାକା ଘୋଡାଇ ଶୋଇଥିଲା । ଜେଜେମା’ ନାତୁଣୀ ମୁହଁକୁ ଚାହିଁ କହିଉଠିଲେ “ମୋ ନାତୁଣୀକୁ ନାଲି ଶାଢୀରେ ଦେଖିବାକୁ ଚାହୁଁଥିଲି ଭଗବାନ ତାକୁ ତ୍ରିରଙ୍ଗାରେ ଘୋଡାଇ ଆଣିଲେ ।” ଏଭଳି କୋହଭରା ପରିସ୍ଥିତି ଦେଖି ବାପା ଜୋର ଜୋରରେ କାନ୍ଦି ଉଠିଲେ ଏବଂ ବୀର ଝିଅକୁ ସଲାମ କରି କହିଉଠିଲେ, ‘ମୁଁ ତୋ ଉପରେ ଗର୍ବ ଅନୁଭବ କରୁଛି ମୋ ଗେହ୍ଲୀ ଝିଅ ।’
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତୀୟ କୋଷ୍ଟ ଗାର୍ଡର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ କ୍ୟାପଟେନ ପେନୀ ଚୌଧୁରୀଙ୍କ ପାର୍ଥିବ ଶରୀରକୁ ସମ୍ମାନର ସହ ତ୍ରିରଙ୍ଗା ପତାକାରେ ଘୋଡାଇ ଘରକୁ ଅଣାଯାଇଥିଲା । ଡ୍ୟୁଟି କରୁଥିବା ସମୟରେ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କର ପ୍ରାଣବାୟୁ ଉଡିିଯାଇଥିଲା । ୨୦୧୩ ମସିହାରେ କୋଷ୍ଟ ଗାର୍ଡରେ ଯୋଗ ଦେଇଥିବା ୨୬ ବର୍ଷୀୟା ପେନିଙ୍କ ଜୀବନ ବିମାନ ଦୁର୍ଘଟଣାରେ ଚାଲିଯାଇଥିଲା । ୪ ଜଣ ଯାତ୍ରୀଙ୍କ ସହ ବିମାନଟି ଦୈନନ୍ଦିନ ରାଉଣ୍ଡରେ ଥିବା ସମୟରେ ଦୁର୍ଘଟଣାର ଶିକାର ପାଲଟିଥିଲା । ବିମାନ ମଧ୍ୟରେ ଡେପ୍ଟି କମାଣ୍ଡାଣ୍ଟ ବଲବିନ୍ଦର ସିଂହ,ସହାୟକ କମାଣ୍ଡାଣ୍ଟ ପେନୀ ଚୌଧୁରୀ ଏବଂ ସନ୍ଦିପ,ବଲଜୀତ ନାମକ ଦୁଇଜଣ ସହାୟକ ଥିଲେ ।
ଦୁର୍ଘଟଣା ପରେ ପେନୀ ବାହାରକୁ ବାହାରିବା ବେଳେ ତାଙ୍କ ହେଲମେଟ ସହ ବିମାନର ବ୍ଲେଡ ବାଜିଥିଲା ଯାହା ଫଳରେ ତାଙ୍କ ମୁଣ୍ଡରେ ଗୁରୁତର ଆହତ ଲାଗିଥିଲା । ପେନୀଙ୍କୁ ତୁରନ୍ତ ଆଇଏନଏସ ଅଶ୍ୱିନ ହସପିଟାଲରେ ଭର୍ତ୍ତି କରାଗଲା । ଏଠାରେ ତାଙ୍କର ମୁଣ୍ଡର ସର୍ଜରୀ କରାଗଲା କିନ୍ତୁ ଦୁର୍ଭାଗ୍ୟବଶତଃ ସେ କୋମାରେ ଚାଲିଗଲେ । ଦୀର୍ଘ ୧୭ ଦିନ ମେସିନର ସାହାରା ନେଇ ବଞ୍ଚିବା ପରେ ଶେଷରେ ସେ ଆରପାରିକୁ ଚାଲିଯାଇଥିଲେ । ଏହି ଦୁର୍ଘଟଣା ୧୦ ମାର୍ଚ୍ଚକୁ ହୋଇଥିବା ବେଳେ ୨୭ ରେ ସେ ଦୁନିଆକୁ ଅଲବିଦା କହିଥିଲେ ।
ସୁଚନା ଅନୁସାରେ ରାଉଣ୍ଡ ସମୟରେ ବିମାନ ଇଞ୍ଜିନ ବନ୍ଦ ହୋଇଯାଇଥିଲା । ଯାହାଫଳରେ ରୋଟରର ସାହାଯ୍ୟ ନିଆଗଲା । ବିମାନ ଯେଭଳି ସମୁଦ୍ର ଆଡକୁ ଅଗ୍ରଗତି ନକରେ ସେଭଳି ଟିମ ବିମାନକୁ ସମୁଦ୍ରତଟ ଉପରୁ ନେବାକୁ ଚେଷ୍ଟା କଲାବେଳେ ଏହାର ସନ୍ତୁଳନ ବିଗିଡି ବିମାନ ଏକ ଚଟାଣ ଉପରେ ପଡିଥିଲା ।
ସହିଦ ଝିଅର ଶବକୁ ମୁଖାଗ୍ନି ଦେବା ପୂର୍ବରୁ ପିତା ଗୁରମିତ ସିଂହ ଝିଅକୁ ସଲାମ କରି ଗର୍ବାନ୍ୱିତ ହେବା କଥା କହିଥିଲେ । ରାଜକୀୟ ବିଦାୟରେ ପେନୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଗଲା । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପେନୀଙ୍କ ଘରେ ପହଞ୍ଚିଥିଲେ । ପେନୀଙ୍କ ଜେଜେବାପା ମଧ୍ୟ ୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧରେ ବୀରଗତି ପ୍ରାପ୍ତ କରିଥିଲେ ।