ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ଦିନରେ ବି କମାଲ କଲା ଭାରତ: ମୋଟ୍ ୬୧ ପଦକ ସହ ଅଭିଯାନ ଶେଷ କଲା ଭାରତ

205

କନକ ବ୍ୟୁରୋ: ବର୍ମିଂହାମରେ ଶେଷ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୨ତମ ସଂସ୍କରଣ । ଏହି ସମ୍ମାନଜନକ କ୍ରୀଡ଼ାର ଶେଷ ଦିନରେ ମଧ୍ୟ କମାଲ କରିଦେଖାଇଛି ଭାରତ । ସୋମବାର ଏକାଦଶ ଦିନରେ ଭାରତ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ତେବେ ପୁରୁଷ ହକିରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି । ଭାରତ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ ବ୍ରୋଞ୍ଜ ସହ ମୋଟ ୬୧ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି । ଶେଷ ଦିନରେକ ବ୍ୟାଡମିଂଟନ ଓ ଟେବୁଲ ଟେନିସ୍ରେ ଭାରତକୁ ଦୁଇଟି ଲେଖାଏ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଂଟନର ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ଓ ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ହଳଦିଆ ପଦକ ଲାଭ କରିଛନ୍ତି । ବ୍ୟାଡମିଂଟନର ମହିଳା ସିଙ୍ଗଲ୍ସ ଫାଇନାଲରେ ସିନ୍ଧୁ କାନାଡା ପ୍ରତିଦ୍ୱନ୍ଦ୍ୱୀ ମିଚେଲ ଲି’ଙ୍କୁ ସିଧାସଳଖ ୨୧-୧୫, ୨୧-୧୩ ଗେମରେ ହରାଇ ପ୍ରଥମଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ସେହିପରି ପ୍ରଥମ ଗେମରେ ପଛୁଆ ରହିବା ପରେ ଲକ୍ଷ୍ୟ ସେନ୍ ଜବରଦସ୍ତ ପ୍ରତ୍ୟାବର୍ତନ କରି ମୁକାବିଲାକୁ ଜିତି ନେଇଥିଲେ । ସେ ଫାଇନାଲରେ ମାଲେସିଆର ଏନଜି ଟି ୟୋଙ୍ଗଙ୍କୁ ୧୯-୨୧, ୨୧-୯, ୨୧-୧୬ ଗେମରେ ହରାଇଥିଲେ । ଏହା ମଧ୍ୟ ତାଙ୍କର ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ଥିଲା । ଟେବୁଲ ଟେନିସ୍ ପାଇଁ ମଧ୍ୟ ଥିଲା ଆଜିର ଦିନ ସ୍ୱର୍ଣ୍ଣିମ । ପୁରୁଷ ସିଙ୍ଗଲ୍ସରେ ଭେଟେରାନ୍ ଅଚନ୍ତା ଶରତ କମଲ ନିଜ ନାଁରେ ଆଉଏକ ସ୍ୱର୍ଣ୍ଣ ପଦକ କରିଛନ୍ତି । ଭାରତର ଏହି ଅଭିଜ୍ଞ ଖେଳାଳି ଫାଇନାଲରେ ଇଂଲଣ୍ଡର ଲିଆମ ପିଚଫୋର୍ଡଙ୍କୁ ମାତ୍ ଦେଇଛନ୍ତି । ଅଚନ୍ତା ମ୍ୟାଚକୁ ୧୧-୧୩, ୧୧-୭, ୧୧-୨, ୧୧-୭ରେ ନିଜ ନାଁରେ କରିଥିଲେ । ଏହା ପୂର୍ବରୁ ସେ ପୁରୁଷ ଟିମ୍ ଓ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ସେହିପରି ପୁରୁଷ ଡବଲ୍ସରେ ସାତ୍ୱିକ ସାଇରାଜ ଓ ଚିରାଗ ଶେଟ୍ଟୀଙ୍କ ଯୋଡ଼ି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତର ଏହି ଏକ ନମ୍ବର ଯୋଡ଼ି ଫାଇନାଲରେ ଇଂଲଣ୍ଡର ଲେନ୍ ଓ ୱେଣ୍ଡିଂଙ୍କ ଯୋଡ଼ିଙ୍କୁ ହରାଇଛନ୍ତି । ପୁରୁଷ ହକି ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । କଙ୍ଗାରୁ ଟିମ୍ ଏକତରଫା ପ୍ରଦର୍ଶନ କରି ୭-୦ ଗୋଲରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ କବଜା କରିଛି ।