ଏସିଆ ହେବ ବିଶ୍ୱର ଶକ୍ତିକେନ୍ଦ୍ର ! ଭାରତ-ଚୀନ୍ କବଜାରେ ରହିବ ଅଧା ଦୁନିଆ ।

30

ସାରା ଦୁନିଆର ବିକାଶ ଗତି କମ୍ ହେଉଥିବା ବେଳେ ଏସିଆରେ ବଢ଼ୁଛି । ବର୍ତ୍ତମାନ ଦୁନିଆରେ ଯେଉଁ ନୀତି ଓ ବ୍ୟବସ୍ଥା ପ୍ରଚଳିତ ରହିଛି ଯଦି ତାହା ବଜାୟ ରହିବ ତେବେ ଆଗାମୀ ୪୦ ବର୍ଷ ଭିତରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ । ଏସିଆର ଦୁଇ ମହାଶକ୍ତି ଚୀନ୍ ଓ ଭାରତ କବଜାରେ ବିଶ୍ୱ ଅର୍ଥନୀତିର ଅଧା ଭାଗ ରହିବ । ଦୁନିଆର ଅଧା ଉତ୍ପାଦନ ଏହି ଦୁଇ ଦେଶରେ ହେବ । ଏଭଳି ଆକଳନ କରିଛି ଅର୍ଥନୈତିକ ସହଯୋଗ ଓ ବିକାଶ ସଂଗଠନ (ଓଇସିଡି)। ଓଇସିଡି ଏହାର ରିପୋର୍ଟରେ ଅନେକ ଆଶ୍ଚର୍ୟ୍ୟ କରିବା ଭଳି ତଥ୍ୟ ପ୍ରଦାନ କରିଛି । ଏଥିରେ କୁହାଯାଇଛି ଯେ, ଏସିଆ ହେବ ବିଶ୍ୱର ଆର୍ଥିକ ଶକ୍ତି କେନ୍ଦ୍ର । ରିପୋର୍ଟରେ ସାମାଜିକ ଓ ଆର୍ଥିକ ଢାଞ୍ଚାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି । ରୋବଟ୍ ସହାୟକ ଓ ଉଡ଼ନ୍ତା ଟ୍ରେନ୍ ଯୋଗୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ଏଥିରେ କୁହାଯାଇଛି ।

ଉଦୀୟମାନ ଦେଶଗୁଡ଼ିକରେ ପ୍ରଶାସନିକ ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଯୋଗୁଁ ପୁଞ୍ଜିନିବେଶ ପରିମାଣ ବଢ଼ିବ । ବ୍ରାଜିଲ, ରୁଷିଆ, ଭାରତ, ଇଣ୍ଡୋନେସିଆ, ଚୀନ୍ ଓ ଦକ୍ଷିଣ ଆଫ୍ରିକାରେ ଲୋକମାନଙ୍କ ଜୀବନ ଧାରଣ ମାନରେ ୫୦% ଭଳି ଉନ୍ନତି ହେବ । ଭବିଷ୍ୟତରେ ପରିବାର ପାଇଁ ଅଧିକ ସୁବିଧା ସୁଯୋଗ ମିଳିବ । ଟିକସ ପରିମାଣ କମ୍ ହେବ ଓ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମ ଯୋଗୁଁ ଲୋକମାନଙ୍କୁ ସୁବିଧାରେ କାମ ମିଳିବ । ଫଳରେ ବେକାରୀ ସମସ୍ୟା ଅନେକାଂଶରେ ଦୂର ହୋଇଯିବ। ଲୋକମାନେ ଅଧିକ ବର୍ଷ ବଞ୍ଚିବେ । ଫଳରେ ଆଇନଗତ ଅବସର ବୟସ ସୀମା ବୃଦ୍ଧି ପାଇବ । ଗବେଷଣା ଓ ବିକାଶ କାର୍ୟ୍ୟରେ ଅଧିକ ପୁଞ୍ଜିନିବେଶ ହେବ । ଶ୍ରମିକମାନଙ୍କ ଦକ୍ଷତା ବଢ଼ିବ । ଉନ୍ନତ ସରକାରୀ ଭିତ୍ତିଭୂମିର ଉପଲବ୍ଧତା ବଢ଼ିବ । ଫଳରେ ଲୋକମାନଙ୍କ ଜୀବନ ଧାରଣ ମାନରେ ଆଶନୁରୂପ ଉନ୍ନତି ହୋଇପାରିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି ।