ସ୍ୱାଧୀନତା ଦିବସ ପୂର୍ବରୁ ଲାଲକିଲ୍ଲାରେ ଏମିତି ହୋଇଛି ସୁରକ୍ଷା ବ୍ୟବସ୍ଥା, ୩ ଶହ ସିସିଟିଭି ସହ ୫ହଜାର ଯବାନ ନିୟୋଜିତ

203

କନକ ବ୍ୟୁରୋ : ଆସନ୍ତା କାଲି ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ । ଏହି କ୍ରମରେ ଦିଲ୍ଲୀର ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡାଇବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଯେଭଳି କିଛି ଅଘଟଣ ନଘଟେ ତାହାକୁ ନଜରରେ ରଖି ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ପୁରା ଦିଲ୍ଲୀକୁ ଯବାନ ଛାଉଣୀ କରାଯାଇଛି । ଲାଲକିଲ୍ଲାର ଆଖପାଖ ଅଞ୍ଚଳରେ ଏମିତି ସୁରକ୍ଷା ବ୍ୟବସ୍ଥା କରାଯାଇଛି କି ଯେଭଳି ଗୋଟିଏ ପାରା ବି ତା ଭିତରକୁ ପଶି ନପାରେ ।

ଲାଲକିଲ୍ଲାର ଚାରିପଟେ ୯ ଟି ଆଣ୍ଟିଡ୍ରୋନ ରାଡାର ଲଗାଯାଇଥିବା ବେଳେ ୩ ଶହ ସିସିଟିଭି ଲଗାଯାଇଛି । କେବଳ ସେତିକି ନୁହେଁ ଲାଲକିଲ୍ଲାର ପ୍ରବେଶ ପଥରେ ବଡବଡ କଣ୍ଟେନରମାନ ରଖା ଯାଇଛି । ଏଥିରେ ପାଖାପାଖି ୧୫-୨୦ ଟି କଣ୍ଟେନର ବ୍ୟବହାର କରାଯାଇଛି । କେବଳ ଲାଲକିଲ୍ଲାର ସୁରକ୍ଷା ପାଇଁ ୫ ହଜାର ଯବାନ ମୁତୟନ କରାଯାଇଛି । ଏହା ବ୍ୟତୀତ ପୁରା ଦିଲ୍ଲୀରେ ୪୦ ହଜାରରୁ ଅଧିକ ସେନା ନିୟୋଜିତ କରାଯାଇଛି । ଅନ୍ୟପଟେ ଦିଲ୍ଲୀର କିଛି ସୀମାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ଓ କିଛି ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ଯାନବାହନ ଉପରେ କଡା ନଜର ରଖାଯାଇଛି ।

ସୁରକ୍ଷାରେ ଯେଭଳି କିଛି କମ ନହେବ ସେଥିପାଇଁ ଦିଲ୍ଲୀ ପୋଲିସ ବ୍ୟତୀତ ଅର୍ଦ୍ଧସୈନିକ ବଳ, ଏନଏସଜି କମାଣ୍ଡର ଓ ଏସପିଜି ଯବାନଙ୍କୁ ବି ନିୟୋଜିତ କରାଯାଇଛି । ଉଚ୍ଚା ଉଚ୍ଚା କୋଠାଘର ଛାତରେ ସ୍କାଇପର୍ସ ବି ଲଗାଯାଇଛି । ଏହାସହ ସରକାରୀ ବିଲ୍ଡିଂରେ ବି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପଟେ ଲାଲକିଲ୍ଲାର ଆଖ ପାଖରେ କିଛି ଆତଙ୍କବାଦୀଙ୍କ ଫଟୋ ବି ଲଗାଯାଇଛି ।

କହିରଖୁ କି ଚଳିତବର୍ଷ କୃଷି ଆଇନକୁ ବିରୋଧ କରି ସୀମାରେ ଆନ୍ଦୋଳନରତ କୃଷକମାନେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ଏହାକୁ ନଜରରେ ରଖି ପୋଲିସ ପକ୍ଷରୁ ଚେଷ୍ଟା ଜାରି ରହିଛି କି ଯେଭଳି ସୂଚାରୁରୂପେ ସ୍ୱାଧୀନତା ଦିବସ ପାଳିତ ହେବ ।