ସଙ୍ଗୀନ ହେଉଛି ଶ୍ରୀଲଙ୍କା ସ୍ଥିତି: ଆର୍ଥିକ ସଙ୍କଟ ଭିତରେ ଏବେ ଦେଖାଗଲାଣି ଖାଦ୍ୟ ସଙ୍କଟ

141

କନକ ବ୍ୟୁରୋ: ଆର୍ଥିକ ସଙ୍କଟ ଭିତରେ ଛନ୍ଦି ହୋଇପଡ଼ିଥିବା ଶ୍ରୀଲଙ୍କା ସ୍ଥିତି ସଂଗୀନ ହେବାରେ ଲାଗିଛି । ଆଶା କରାଯାଉଥିଲା ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ସ୍ଥିତି ସୁଧୁରିବ । ହେଲେ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଲାଣି । ଏବେ ଶ୍ରୀଲଙ୍କାରେ ଦେଖାଦେଇଛି ଖାଦ୍ୟ ସଙ୍କଟ ।

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ ସତର୍କ କରାଇ ଦେଇଛନ୍ତି ଯେ, ଦେଶ ଖାଦ୍ୟ ସଙ୍କଟର ସାମ୍ନା କରିବାକୁ ଯାଉଛି । ଏଯାଏଁ ସେଠାରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ର ଘୋର ଅଭାବ କଥା ସାମ୍ନାକୁ ଆସିଥିଲା, ହେଲେ ଖାଦ୍ୟର ସଙ୍କଟ ଏବେ ସମସ୍ତିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପ୍ରାୟ ୨ କୋଟି ଦେଶବାସୀଙ୍କୁ ଖାଦ୍ୟ ଯୋଗାଇବା ଏବେ ନୂଆ ସରକାର ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ।

ଅବଶ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନ ବଢ଼ାଇବାକୁ ଶ୍ରୀଲଙ୍କା ସରକାର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଚଷୀମାନଙ୍କୁ ସାର ଯୋଗାଇ ଦେଇ ଉତ୍ପାଦନ ବଢ଼ାଇବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ । ଶ୍ରୀଲଙ୍କାରେ ଏହି ଖାଦ୍ୟ ସଙ୍କଟ ପଛରେ ଗୋଟାବାୟା ସରକାର ଭୁଲ ନିଷ୍ପତିକୁ ଦାୟୀ କରାଯାଇପାରେ । କାରଣ ଜୈବିକ ଚାଷ ନାଁରେ ନିଆଯାଇଥିବା ନିଷ୍ପତିର ଭୟଙ୍କର ପରିଣାମ ଏବେ ଦେଖିବାକୁ ମିଳୁଛି ।

ଗତ ବର୍ଷ ଏପ୍ରିଲରେ ଦେଶରେ ସବୁ ପ୍ରକାର ରାସାୟନିକ ସାର ବ୍ୟବହାର ଉପରେ ହଠାତ୍ କଟକଣା ଲଗାଇଦେଲେ ଗୋଟାବାୟା ସରକାର । ଏହା ପଛରେ ଯୁକ୍ତି ଦର୍ଶାଗଲା ଯେ, ଜୈବିକ ଚାଷ କରାଯିବ । ହେଲେ ଏହାର ପରିଣାମ ସାଂଘାତିକ ପାଲଟିଛି । ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନ ଏକଦମ୍ କମିଗଲା । ଫଳରେ ଏବେ ଏମିତି ସ୍ଥିତି ଉପୁଜିଛି ଯେ, ଦେଶର ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା କଷ୍ଟକର ହୋଇପଡ଼ିଛି । ଅବଶ୍ୟ ଆର୍ଥିକ ସଙ୍କଟ ଆରମ୍ଭ ହେବା ପରେ ରାସାୟନିକ ସାର ଉପରେ ଲଗାଇଥିବା କଟକଣାକୁ ହଟାଇ ଦିଆଯାଇଛି । ହେଲେ ଏହାର କୁପରିଣାମ ଶ୍ରୀଲଙ୍କା ବାସୀଙ୍କୁ ହନ୍ତସନ୍ତ କରୁଛି ।