ହିଜାବ ମାମଲାରେ କୋର୍ଟ ଯାଇଥିବା ଦୁଇ ଛାତ୍ରୀଙ୍କୁ ପରୀକ୍ଷାରୁ କରାଗଲା ବଞ୍ଚିତ, କଲେଜ ଗେଟରୁ ଫେରାଇଦେଲେ କର୍ମଚାରୀ

325

କନକ ବ୍ୟୁରୋ : ହିଜାବ ମାମଲାକୁ ନେଇ ପୁଣି କର୍ଣ୍ଣାଟକରେ ରାଜନୀତି ସରଗରମ ହେବାକୁ ଯାଉଛି । ହିଜାବ ପକ୍ଷରେ କୋର୍ଟରେ ଅଭିଯୋଗ ଆଣିଥିବା ଦୁଇଜଣ ଯୁବତୀ ଆଜି ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଯାଇଥିବା ବେଳେ ସେମାନଙ୍କୁ କଲେଜ ପକ୍ଷରୁ ଫେରାଇ ଦିଆଯାଇଛି । ଛାତ୍ରୀ ଦୁଇଜଣ ହିଜାବ ପିନ୍ଧି ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଇଥିବା ବେଳେ ତାଙ୍କୁ ହିଜାବ ପିନ୍ଧି କଲେଜ ପରିସରକୁ ପ୍ରବେଶ ପାଇଁ ଅନୁମତି ମିଳି ନଥିଲା । ଏନେଇ ପ୍ରଥମେ ସେମାନେ ପରୀକ୍ଷା ପର୍ଯ୍ୟବେକ୍ଷକ ଓ କଲେଜ ପ୍ରିନ୍ସପାଲଙ୍କୁ ଅନୁରୋଧ କରିଥିଲେ । ହେଲେ ପରୀକ୍ଷା ହେବାର ୪୫ ମିନିଟ ଯାଏଁ ସେମାନଙ୍କୁ କଲେଜ ପ୍ରିନ୍ସପାଲ ପରୀକ୍ଷା ହଲରେ ବସିବାକୁ ଅନୁମତି ନ ଦେବାରୁ ସେମାନେ ବାଧ୍ୟ ହୋଇ ଫେରି ଆସିଛନ୍ତି ।

କହିରଖୁ କି କିଛିଦିନ ତଳେ କର୍ଣ୍ଣାଟକ ଓଡୁପିର ପିହୁ କଲେଜରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ସେପଟେ ଆଜିର ଘଟଣା ପରେ ହିଜାବ ବିବାଦରେ ଲଢେଇ ଜାରି ରଖିଥିବା ଜଣେ ୧୭ ବର୍ଷିୟ ଛାତ୍ରୀ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି କି “ଆପଣଙ୍କ ପାଖରେ ଏବେ ବି ଆମ ଭବିଷ୍ୟତ ନଷ୍ଟହେବାକୁ ରୋକିବା ପାଇଁ ସୁଯୋଗ ରହିଛି” । କେବଳ ସେ ନୁହଁନ୍ତି ରାଜ୍ୟସ୍ତରୀୟ କରାଟେ ଚମ୍ପିଅନ ଆଲିଆ ଓସାଦୀ କହିଛନ୍ତି କି ହିଜାବ ଭଳି ଏକ ଓଢଣୀ ଉପରେ ପ୍ରତିବନ୍ଧକ ଲଗାଇ କିଛି ଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି ।

ସୂଚନା ଥାଉକି କିଛିଦିନ ପୂର୍ବରୁ ଏହି ମାମଲାକୁ ନେଇ କର୍ଣ୍ଣାଟକ ହାଇକୋର୍ଟ କହିଥିଲେ କି ହିଜାବ ପିନ୍ଧିବା ଇସଲାମ ଧର୍ମରେ ବାଧ୍ୟବାଧକତା ପ୍ରଥା ନୁହେଁ । ଏହାସହ ୟୁନିଫର୍ମ ପିନ୍ଧିବାକୁ ବିଦ୍ୟାର୍ଥୀମାନେ ମନା କରିପାରିବେ ନାହିଁ ।