ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଶୃଙ୍ଖଳିତ ନୀତିକାନ୍ତି ନେଇ ଆଲୋଚନା

61

କନକ ବ୍ୟୁରୋ: ରଥଯାତ୍ରା ପ୍ରସ୍ତୁତି ପାଇଁ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶୃଙ୍ଖଳିତ ରଥଯାତ୍ରା ନେଇ ବୈଠକରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜିତ ହୋଇଯାଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭକ୍ତ ଓ ଭଗବାନଙ୍କ ମିଳନର ମହାପର୍ବ ରଥଯାତ୍ରା ଓ ସ୍ନାନ ପୂର୍ଣ୍ଣିର୍ମା ନେଇ ଆଲୋଚନା କରିଛନ୍ତି । ଚଳିତ ବର୍ଷ ରଥଯାତ୍ରାରେ କିପରି ଶୃଙ୍ଖଳିତ ନୀତିକାନ୍ତି ଓ ସହଜ ଦର୍ଶନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଶୃଙ୍ଖଳାର ସହ ରଥଯାତ୍ରା ସଂପନ୍ନ କରିବା ଓ ଭକ୍ତଙ୍କ ଭିଡକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ ୧୫ ଦିନ ବଦଳରେ ୧୩ ଦିନ ହେବ ଅଣସର ନୀତି । ରଥଟଣା ପାଇଁ ହାତରେ ୨ ଦିନ ସମୟ କମ ଥିବାରୁ ନୀତିକାନ୍ତି ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ । ଶୃଙ୍ଖଳିତ ନୀତି ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି ।