ବେଆଇନ୍ ପାର୍କିଂ ହୋଇଥିବା ଗାଡିର ଫଟୋ ଉଠାଇ ପଠାଇଲେ ପୁରସ୍କାର ଦେବେ ସରକାର । କେନ୍ଦ୍ର ସରକାରଙ୍କ ନୂଆ ଆଇନ୍ ବାବଦରେ ଜାଣିନିଅନ୍ତୁ…

373

କନକ ବ୍ୟୁରୋ : ରାସ୍ତାରେ ସାଇଡରେ, ଫୁଟପାତ୍ ଉପରେ, ଘର ଆଗରେ, ବେଆଇନ୍ ପାର୍କିଂ ସ୍ଥାନରେ ଗାଡି ପାର୍କିଂ କରୁଥିଲେ ସାବଧାନ ହୋଇଯାଆନ୍ତୁ । କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ନୂଆ ଆଇନ୍ । ବେଆଇନ୍ ଗାଡି ପାର୍କିଂ କରିଥିବା ଲୋକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ ଆଉ ଯେଉଁ ବ୍ୟକ୍ତି ଗାଡିର ଫଟୋ ଉଠାଇ ସରକାରଙ୍କୁ ପଠାଇବେ ତାଙ୍କୁ ମିଳିବ ଉପହାର । ତେବେ ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା ।
ଆଜିକାଲି ଦେଖିବାକୁ ମିଳୁଛି, ଗାଡି ଚାଳକ ଯିଏ ଯେଉଁଠି ପାଇଲେ ସେଇଠି ପାର୍କିଂ କରିଦେଉଛନ୍ତି । ରାସ୍ତା କଡ ହେଉ, ଫୁଟପାଥ ହେଉ କିମ୍ବା ବେଆଇନ୍ ପାର୍କିଂ ସ୍ଥାନ । ଏପରିକି ଲୋକେ ସହରରେ ଘର କରିଛନ୍ତି ସତ କିନ୍ତୁ ଘରେ ଗାଡି ପାର୍କିଂ ପାଇଁ ପାର୍କିଂ ବ୍ୟବସ୍ଥା କରିନାହାନ୍ତି । ରାସ୍ତା କଡରେ ଗାଡି ପାର୍କିଂ କରିଦେଇଥାନ୍ତି । କିନ୍ତୁ ଏବେ ଏସବୁ ଆଉ ଚଳିବ ନାହିଁ । କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ନୂଆ ନିୟମ ଆଧାରରେ ବେଆଇନ୍ ପାର୍କିଂ ହୋଇଥିବା ଗାଡିର ଫଟୋ ଉଠାଇ ସରକାରଙ୍କ ନିକଟକୁ ପଠାଇଲେ, ଫଟୋ ପଠାଇଥିବା ବ୍ୟକ୍ତିଙ୍କୁ ସରକାର ପୁରସ୍କୃତ କରିବେ । ପୁରସ୍କାର ଆକାରରେ ଉକ୍ତ ବ୍ୟକ୍ତିଙ୍କୁ ୫ଶହ ଟଙ୍କା ପ୍ରଦାନ କରାଯିବ ଏବଂ ବେଆଇନ୍ ପାର୍କିଂ ସ୍ଥାନରେ ପାର୍କିଂ କରିଥିବା ଗାଡି ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ
କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ, ଏକ ଜାତୀଙ୍କ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ଏକ ନୂଆ ଆଇନ୍ ଆସିବାକୁ ଯାଉଛି ବୋଲି ସେ ଲୋକଙ୍କୁ ସୂଚିତ କରିଛନ୍ତି । ତେବେ ଯେଉଁମାନେ ଘରେ ଗାଡି ପାର୍କିଂ କରିବା ପାଇଁ ସୁବିଧା କରିନାହାନ୍ତି ଏବଂ ରାସ୍ତା କଡରେ ଗାଡି ପାର୍କିଂ କରୁଛନ୍ତି ସେମାନେ ବେଳ ଥାଉ ଥାଉ ସାବଧାନ ହୋଇଯାଆନ୍ତୁ, ନଚେତ୍ ଯଦି କୌଣିସି ଲୋକ ଗାଡିର ଫଟୋ ଉଠାଇ ସରକାରଙ୍କୁ ପଠାଇବ ତାଙ୍କୁ ୫୦୦ଟଙ୍କାର ପୁରସ୍କାର ଦିଆଯିବା ସହିତ ବେଆଇନ୍ ପାର୍କିଂ କରିଥିବା ଗାଡି ମାଲିକଙ୍କଠୁ ତଣ୍ଡ ଗଣିବାକୁ ପଡିବ ।