ଟୋକନ୍ ନେଇ ଚିନ୍ତାରେ ଚାଷୀ: ସମାଧାନ ନହେଲେ ମଣ୍ଡି ବନ୍ଦ କରିବା ସହ ଆନ୍ଦୋଳନ ଚେତାବନୀ

65

କନକ ବ୍ୟୁରୋ: ଆସୁଛି କମ୍ ଟୋକନ୍ । ମଣ୍ଡିରେ ଧାନ କିଭଳି ବିକ୍ରି କରିବେ ଚାଷୀ । ସେ ନେଇ ଚିନ୍ତା ବଢୁଥିବା ବେଳେ ଘଟଣାର ପ୍ରତିବାଦ କରିଛନ୍ତି ହାଟଡିହି ଅଂଚଳର ଚାଷୀ । କାହାର ୮୦ କୁଇଂଟାଲ ତ ଆଉ କାହାର ୬୦ କୁଇଂଟାଲ । ହେଲେ ତା ସ୍ଥାନରେ ମାତ୍ର ୭ କୁଇଂଟାଲ ବିକ୍ରି ହେବ । ଏକର ଏକର ଚାଷ ଜମିରେ ଚାଷ କରିଛନ୍ତି । କୁଇଂଟାଲ କୁଇଂଟାଲ ଧାନ ମଧ୍ୟ ଅମଳ ହୋଇଛି । ହେଲେ ଟୋକନ୍ ନଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବର୍ଷ ଯାକର ପରିଶ୍ରମ ଏବେ ପାଣିରେ ପଡିଛି ।

ଏତେ ପରିଶ୍ରମ କରି ଫସଲ ଅମଳ କରିଥିଲେ ବି ଅମଳ ଧାନ ବିକ୍ରି ହୋଇନପାରି ପଡିରହୁଛି । ଟୋକନ ଅନୁସାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ମାନେ । ଜଣେ କି ଦୁଇ ଜଣ ନୁହେଁ ପ୍ରତି ଅଂଚଳରେ ଚାଷୀ ମାନଙ୍କର ଏହିଭଳି ସମସ୍ୟା ଦେଖିବାକୁ ମିଳିଛି । ବଳକା ଧାନ କେବେ ବିକ୍ରି ହେବ ସେ ନେଇ ପ୍ରଶ୍ନ ଉଠାଇବା ସହିତ ଏହି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ଖୁବଶିଘ୍ର ସେମାନଙ୍କୁ ଟୋକନ୍ ନମିଳିଲେ ମଣ୍ଡି ବନ୍ଦ କରି ଆନ୍ଦୋଳନ କରିବାର ଚେତାବନୀ ଦେଇଛନ୍ତି ଚାଷୀ ମାନେ । ସେପଟେ ଚାଷୀ ମାନେ ସହାୟତା ପାଇଁ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରନ୍ତୁ । ଏହା ପରେ ସମସ୍ତ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି ।