ସାର ପାଇଁ ତାତିଲେ ଚାଷୀ । ରାସ୍ତା ରୋକ କରିବା ସହ ଲ୍ୟାମ୍ପସକୁ ଘେରି ଧାରଣାରେ ବସିଲେ କୋରାପୁଟର ଶତାଧିକ ଚାଷୀ

71

କନକ ବ୍ୟୁରୋ: ସାର ପାଇଁ ତାତିଲେ ଚାଷୀ । ଲ୍ୟାମ୍ପସକୁ ଘେରିଲେ ଚାଷୀ । ରାସ୍ତା ରୋକ କରିବା ସହ ଧାରଣାରେ ବସିଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ୧୫ଟି ପଚାଂୟତର ଶତାଧିକ ଚାଷୀ । କୁମୁଲି କାମତା ଲ୍ୟାମ୍ପସ ଓ ଜୟପୁର ବ୍ଳକ୍ କୁମୁଲିପୁଟ ପଚାଂୟତର ଶତାଧିକ ଚାଷୀ କୁମୁଲିପୁଟ ଲ୍ୟାମ୍ପସ ସାମନାରେ ବିକ୍ଷୋଭ କରିଛନ୍ତି । ଦୀର୍ଘ ଦିନ ହେଲା କୋରାପୁଟ ଜିଲ୍ଳାରେ ସାରର ଅଭାବ ଦେଖିବାକୁ ମିଳିଛି ।

ଯଦି କିଛି ସାର ଆସୁଛି ତାହା ହେଲେ ବସ୍ତାଏ ସାର ପାଇଁ ଦିନ ସାରା ଚାଷୀକୁ ଜଗିବାକୁ ପଡୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଏବେ ରୁଆ ସମୟରେ ସାରର ଅଭାବ ଚାଷୀ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ପ୍ରତିଶୃତି ପରେ ବି ସାର ନମିଳିବାରୁ ଆଜି ଜିଲ୍ଳାର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ କରିବା ସହ ଧାରଣାରେ ବସିଛନ୍ତି ।

କାହାକୁ ସାର ଦିଆଗଲା କିଏ ନେଲା ତାର ତାଲିକା ଦେବାକୁ ଦାବି କରିଛି ଚାଷୀ ସଂଗଠନ । କୁମୁଲି କାମତା ଲ୍ୟାମ୍ପସ୍ରେ ୨୫ ଶହ କ୍ୱଇଂଟାଲ ସାରର ଆବଶ୍ୟକତା ହେଲେ ଚାଷୀଙ୍କୁ ମିଳିଛି ମାତ୍ର ଶହେ କ୍ୱଇଂଟାଲ । ଦୀର୍ଘ ଦିନ ଧରି ଏପରି ଅବସ୍ତା ଲାଗିରହିଥିବା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।