ମେରୁ ଅଂଚଳରେ କିପରି ବଦଳୁଛି ତାପମାତ୍ରା? ଚନ୍ଦ୍ରପୃଷ୍ଠରୁ ନୂଆ ତଥ୍ୟ ପଠାଇଲା ବିକ୍ରମ

614

କନକ ବ୍ୟୁରୋ: ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି । ଫଟୋ ଓ ଭିଡିଓ ପଠାଇବା ପରେ, ଏବେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣ ମେରୁ ଅଂଚଳର ତାପମାତ୍ରା ସମ୍ପର୍କରେ ତଥ୍ୟ ପଠାଇଛି ବିକ୍ରମ । ଚନ୍ଦ୍ରର ଉପର ଭାଗର ସାମାନ୍ୟ ତଳକୁ ଗଲେ କେମିତିି ତାପମାତ୍ରା ବଦଳି ଯାଉଛି, ତାହା ଗ୍ରାଫ ଜରିଆରେ ଦର୍ଶାଇଛି ଇସ୍ରୋ । ଅନ୍ୟପଟେ ଶିବଶକ୍ତି ପଏଂଟରେ ବୁଲି କାମ ଆରମ୍ଭ କରି ଦେଇଛି ରୋଭର ପ୍ରଜ୍ଞାନ ।

ଭାରତର ସଫଳ ଚନ୍ଦ୍ର ଅଭିଯାନ ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର କିପରି କାର୍ଯ୍ୟ କରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର । କି କି ନୂଆ ତଥ୍ୟ ସାମନାକୁ ଆସୁଛି, ସାରା ବିଶ୍ୱର ବୈଜ୍ଞାନିକ ଚାହିଁ ବସିଛନ୍ତି । ଆଉ ଏହାରି ଭିତରେ ବିକ୍ରମ ଲ୍ୟାଣ୍ଡର ଯେଉଁ ତଥ୍ୟ ପଠାଇଛି, ସାମ୍ନାକୁ ଆଣିଛି ଇସ୍ରୋ । ଏହି ତଥ୍ୟ ପ୍ରଦାନ କରିଛି, ଚେଷ୍ଟ ବା ‘ଚନ୍ଦ୍ରସ ସରଫେସ୍ ଥର୍ମୋଫିଜିକାଲ ଏକ୍ସପେରିମେଂଟ’ ପେ-ଲୋଡ୍ ।

ଚନ୍ଦ୍ରର ଉପରଭାଗର ସାମାନ୍ୟ ତଳକୁ ଗଲେ ବଦଳି ଯାଉଛି ତାପମାତ୍ରା
ମାତ୍ର ୧୦ ସେଂଟିମିଟର ତଳେ ତାପମାତ୍ରାର ବଡ଼ ପରିବର୍ତ୍ତନ

ଲ୍ୟାଣ୍ଡରରେ ଲାଗିଥିବା ସେନ୍ସର ଜରିଆରେ ରେକର୍ଡ କରାଯାଇଛି ତାପମାତ୍ରା । ଚନ୍ଦ୍ରର ଦକ୍ଷିଣ ମେରୁରୁ ପ୍୍ରଥମଥର ପାଇଁ ଏହି ପ୍ରକାରର ତଥ୍ୟ ସାମ୍ନାକୁ ଆସିଛି । ଏହାର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକୁ ଗ୍ରାଫ୍ ଯୋଗେ ଦର୍ଶାଇଛି ଇସ୍ରୋ ।

ଏପଟେ ଶିବଶକ୍ତି ପଏଂଟରେ ବୁଲି କାମ ଆରମ୍ଭ କରିଦେଇଛି ରୋଭର । ଏହାର ସମସ୍ତ ପେ-ଲୋଡ ସକ୍ରିୟ ରହିଛି । ଶନିବାର ଦିନ ରୋଭରର ଭିଡିଓ ଜାରି କରିଥିଲା ଇସ୍ରୋ । ଖୁବଶୀଘ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସିବ ବୋଲି ଆଶା କରାଯାଉଛି ।