ସଲମାନଙ୍କୁ ଚ୍ୟାଲେଞ୍ଜ ଦେବା ଭାରି ପଡିଲା । ଜୀବନର ସବୁ ହରାଇ ବର୍ବାଦ ହୋଇଗଲେ, ଏବେ କ’ଣ କରୁଛନ୍ତି ଜୁବେର?

1,028

କନକ ବ୍ୟୁରୋ: ଫିଲ୍ମ ମେକର ତଥା ଡାଇରେକ୍ଟର ଜୁବେର ଖାନଙ୍କ ମନର କ୍ଷୋଭ । ବିଗବସ୍ ୧୧ରେ ଥିବା ଏହି କଣ୍ଟେଷ୍ଟାଣ୍ଟଙ୍କ କଥା ହୁଏତ ଅପଣଙ୍କର ମନେ ଥିବ । ଏଥିରେ ସଲମାନ୍ ଖାନ୍ ଲାଇଭ ସୋରେ ଖୋଲାଖୋଲି ଏହି କଣ୍ଟେଷ୍ଟାଣ୍ଟଙ୍କୁ ଗାଳି ଦେଇଥିଲେ । ଶୋ’ରେ ସଲମାନଙ୍କ ସହ ହୋଇଥିବା ଏହି କଥା କଟକଟି ଶୋ ପରେ ମଧ୍ୟ ଜାରି ରହିଥିଲା । ଯାହା ଜୁବେରଙ୍କୁ ପୁରା ବର୍ବାଦ କରିଦେଲା । ଆଜିକା ଦିନରେ ପୁରା ଅସହାୟ ହୋଇପଡି ଡିପ୍ରେସନର ଶିକାର ହୋଇଛନ୍ତି ଜୁବେର ଏବଂ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ସଲମାନଙ୍କୁ ଏକ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଅନୁରୋଧ କରିଛନ୍ତି ।

କେବେ ସଲମାନଙ୍କୁ ଅଭିମାନଭରା କଣ୍ଠରେ କଥା କହୁଥିବା ଜୁବେର ଆଜି ତାଙ୍କୁ ଭାଇଜାନ୍ ବୋଲି ସମ୍ବୋଧନ କରୁଛନ୍ତି । ତାଙ୍କ ଜୀବନ ହତାଶାରେ ଭରିଯାଇଛି । ସଲମାନଙ୍କ ସହ ଯୁକ୍ତିତର୍କ ପରେ ତାଙ୍କ ଭାଗ୍ୟ ଯେମିତି ବୁଡିଗଲା, ତାଙ୍କୁ ଜେଲରେ ରହିବାକୁ ପଡିଲା । ଏବେ ସେ ବେକାର ହୋଇ ବୁଲିବା ପରେ ଏକ ଛୋଟ ହୋଟେଲ କରି ନିଜ ଖର୍ଚ୍ଚ ଚଳାଉଛନ୍ତି ।
ଏକ ସାକ୍ଷାତକାରରେ ଜୁବେର କହିଛନ୍ତି ଯେ, ବ୍ୟକ୍ତିଗତ କାରଣରୁ ତାଙ୍କ ସ୍ତ୍ରୀ ଓ ପିଲାମାନେ ତାଙ୍କଠାରୁ ଦୂରେଇଯାଇଥିଲେ । ଏହି ଦୁଃଖକୁ ଭୁଲିଯିବାକୁ ଏବଂ ଟିଭିରେ ତାଙ୍କ ପିଲାମାନେ ତାଙ୍କୁ ଦଖିପାରନ୍ତୁ ଭାବି ସେ ବିଗବସ ଭାଗ ନେଲେ । ହେଲେ ବିଗବସ ତାଙ୍କ ଜୀବନକୁ ଛାରଖାର କରିଦେଲା । ବିଗବସରୁ ସେ କିଛି ପାଇନାହାଁନ୍ତି ବରଂ ସବୁକିଛି ହରାଇଛନ୍ତି ବୋଲି କହିଛନ୍ତି ଜୁବେର ।

ବିଗବସରେ ଯିବା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ନିଷ୍ପତ୍ତି ଥିଲା । ଏହି ଶୋରୁ ତାଙ୍କୁ କିଛି ମିଳିଲାନି । ବରଂ ତାଙ୍କୁ ସର୍ବସ୍ୱାନ୍ତ କରିଦେଲା । ସଲମାନ ଖାନ୍ ତାଙ୍କୁ ଶୋରେ ଗାଳିଦେବା ପରେ ସେ ଶୋ’ରୁ ବାହାରିଆସିଥିଲେ । ଆଉ ତା ପରେ ଆରମ୍ଭ ହୋଇଯାଇଥିଲା ତାଙ୍କ ପଇଁ ଅଗ୍ନିପରୀକ୍ଷା । ବଲିଉଡ ଇଣ୍ଡଷ୍ଟ୍ରିରେ ସଲମାନଙ୍କ ଡରରେ ତାଙ୍କୁ କେହି ବି କାମ ଦେଲେ ନାହିଁ । ତାଙ୍କର ପ୍ରତିଟି ସ୍କ୍ରିପ୍ଟ ରିଜେକ୍ଟ ହୋଇଗଲା । ତାଙ୍କଠାରୁ ଇଣ୍ଡଷ୍ଟ୍ରିର ସବୁ ସାଙ୍ଗସାଥୀ ପରିଚିତ ଦୂରେଇଗଲେ ।

ସଲମାନ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଅଭିଯୋଗ କରି ତାଙ୍କ ବିରୋଧରେ ମାମଲା ଦାଏର କଲେ ଜୁବେର । ଆଉ ତା ପରେ ସ୍ଥିତି ଆହୁରି ସଙ୍ଗୀନ ହୋଇପଡିଲା । ସଲମାନଙ୍କ ଓକିଲ ପୁତ୍ୟାରୋପ କଲେ । ଶୋରେ ଜୁବେର ନିଜକୁ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ସାନ ଭଉଣୀଙ୍କ ଜ୍ୱାଇଁ ବୋଲି ପରିଚୟ ଦେଇ ସମସ୍ତଙ୍କୁ ଧମକାଇବା ଅଭିଯୋଗ ଆଣି କେସକୁ ଟାର୍ଗେଟ କରିଥିଲେ । କେସ୍ ଚାଲିବା ସମୟରେ ମାନସିକ ଚିନ୍ତାରେ ଜୁବେରଙ୍କ ମା’ ଆରପାରିକୁ ଚାଲିଗଲେ ।

ଫଳରେ ବାଧ୍ୟ ହୋଇ କେସ୍ ଉଠାଇଥିଲେ ଜୁବେର । ଆପଣା ଲୋକଙ୍କୁ ହରାଇବା ପରେ ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ହେଲେ ଇସ୍ଲାମରେ ଆତ୍ମହତ୍ୟା ଅପରାଧ ହୋଇଥିବାରୁ ସେଥିରୁ ନିବୃତ୍ତ ହୋଇଥିଲେ । ଏବେ ସେ ମେଣ୍ଟାଲ ଡିପ୍ରେସନର ଶିକାର ହୋଇ ମେଡିସିନରେ ବଞ୍ଚିଛନ୍ତି । କାମ ପାଇଁ ସମସ୍ତଙ୍କୁ ଗୁହାରୀ କରୁଥିବାବେଳେ ଛୋଟମୋଟ ହୋଟେଲ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ନିଜର ଏପରି ଜୀବନ ଯନ୍ତ୍ରଣା କଥା କହୁ କହୁ କାନ୍ଦିପକାଇଥିଲେ ଜୁବେର ।