ଦେବାଳିଆ ରାଜ୍ୟର ଦୁର୍ନାମ ଭିତରୁ ଓଡ଼ିଶା ବିକାଶର ବିନ୍ଧାଣୀ ସାଜି ସୁନାମ ଆଣିଛନ୍ତି ନବୀନ ।

699

କନକ ବ୍ୟୁରୋ: ଟଙ୍କିକିଆ ଚାଉଳ ଯୋଜନାରୁ ମୋ’ ସରକାର କାର୍ଯ୍ୟକ୍ରମ । ଗୋଟିଏ ପଟେ ଗରିବ ଲୋକଙ୍କ ଆଖିରୁ ଲୁହ ପୋଛିବାକୁ ପ୍ରୟାସ, ଅନ୍ୟ ପଟେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ସରକାରଙ୍କ ଉତରଦାୟତ୍ୱ । ଏହାରି ମଧ୍ୟରେ ଲମ୍ବିଛି ନବୀନ ସରକାରଙ୍କ ମାଳ ମାଳ ଯୋଜନା । ଅସହାୟ, ଆଦିବାସୀ, ମହିଳା, ବୃଦ୍ଧବୃଦ୍ଧା ଓ ଅବହେଳିତ ବର୍ଗଙ୍କ ମୁହଁରେ ହସ ଫୁଟାଇବା ପାଇଁ ମମତା ଯୋଜନା ଠାରୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ କରି ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି ନବୀନ ।

୨୦୦୯ ନିର୍ବାଚନ ପୂର୍ବରୁ ୨ ଟଙ୍କିଆ ଚାଉଳ ଯୋଜନା ଯେତିକି ଚହଳ ସୃଷ୍ଟି କରିଥିଲା, ୨୦୧୩ ମସିହାରେ ଟଙ୍କିକିଆ ଚାଉଳ ଘୋଷଣା, ସାରା ଦେଶରେ ଉଦାହରଣ ପାଲଟିଥିଲା । ଗରିବଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରି ଲୋକପ୍ରିୟତାର ଶୀର୍ଷତାରେ ପହଁଚିଥିଲେ ନବୀନ । କେବଳ ସେତିକି ନୁହେଁ, ୧୯ ବର୍ଷର ଶାସନ କାଳରେ, ଏକ ଦେବାଳିଆ ରାଜ୍ୟର ଦୁର୍ନାମ ଭିତରୁ ଓଡ଼ିଶାକୁ ବାହାର କରି ବିକାଶର ନୂଆ ରାସ୍ତା ଦେଖାଇବାରେ ସଫଳ ହୋଇଛନ୍ତି ନବୀନ । ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ନିବେଶ କରିବାକୁ ରାଜି ହୋଇଛନ୍ତି ଦେଶର ବଛା ବଛା ଶିଳ୍ପପତି ।

କୃଷି ଓ କୃଷକଙ୍କ ଉନ୍ନତି ପାଇଁ କାଳିଆ ଯୋଜନା ଘୋଷଣା କରି ୨୦୧୯ ନିର୍ବାଚନ ପୂର୍ବରୁ ନବୀନ ଖେଳିଥିଲେ ମାଷ୍ଟର ଷ୍ଟ୍ରୋକ୍ । ଦେଶର ବିଭିନ୍ନ ରାଜ୍ୟରେ କୃଷି ଋଣ ଛାଡ଼ ନେଇ ଯେତେବେଳେ ପ୍ରତିଯୋଗୀତା ଚାଲିଥିଲା, କାଳିଆ ଯୋଜନା ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ ନବୀନ ।

ମହିଳା ସଶକ୍ତିକରଣ କ୍ଷେତ୍ରରେ ସାରା ଦେଶରେ ପଥ ପ୍ରଦର୍ଶକ ହୋଇଛି ଓଡ଼ିଶା ।
ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରୋତ୍ସାହନ ଦେଇ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ରାଜ୍ୟକୁ ମିଳିଛି ଏକ ବଡ଼ ଉପଲବ୍ଧି । ପଂଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ଫୋକସରେ ରହିଛି, ପ୍ରଶାସନିକ ଦକ୍ଷତା ବୃଦ୍ଧି, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଜନତାଙ୍କୁ ସେବା ଯୋଗାଇବା ପାଇଁ ସରକାରଙ୍କ ଉତରଦାୟିତ୍ୱ ।

‘5-T’ ଅର୍ଥାତ୍ ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍ ୱାର୍କ, ଟାଇମ୍ ଏବଂ ଟ୍ରାନ୍ସଫରମେସନ୍ ଏହି ୫ଟି ମୂଳମନ୍ତ୍ର ଆଧାରରେ ରାଜ୍ୟରେ ଆରମ୍ଭ ହୋଇଛି ନବୀନଙ୍କ ସବୁଠୁ ମହତ୍କାଂକ୍ଷୀ କାର୍ଯ୍ୟକ୍ରମ – ‘ମୋ ସରକାର’ । ଲୋକଙ୍କ ପାଖରେ ସରକାରୀ ସୁବିଧା ପହଂଚାଇବା ଏବଂ ସ୍ୱଚ୍ଛାତାର ସହ ବିକାଶ କାମକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଗାନ୍ଧୀ ଜୟନ୍ତୀ ଦିନ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ଥାନା ଓ ଡାକ୍ତରଖାନାରେ କିପରି ସେବା ମିଳୁଛି, ନିଜେ ଫୋନ କରି ଲୋକଙ୍କ ଠାରୁ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ।