ମର୍କତନଗର ଥାନାରେ ହାଇଡ୍ରାମା ! ଥାନା ଗ୍ରୀଲ ଗେଟରେ ହାତ ଗଳାଇ ଚିତ୍କାର କରି ଉତ୍ପାତ ମଚାଇଲେ ଅଭିଯୋଗକାରୀ ଯୁବକ

32

କନକ ବ୍ୟୁରୋ : ମର୍କତନଗର ଥାନାରେ ହାଇଡ୍ରାମା । ଉତ୍ପାତ ମଚାଇଲେ ଅଭିଯୋଗକାରୀ ଯୁବକ । ହାଜତରେ ପୁରାଇ ପୋଲିସ ତାଙ୍କୁ ମାରିଦେବାକୁ ଉଦ୍ୟମ କରୁଛି ବୋଲି କଟକ ମର୍କତନଗର ଥାନା ଗ୍ରୀଲ ଗେଟରେ ହାତ ଗଳାଇ ଚିତ୍କାର କରୁଥିଲେ ଯୁବକ ଜଣକ । ମୋର କୌଣସି ଦୋଷ ନଥାଇ ମୋତେ ପୋଲିସ ଅଟକ ରଖିଛି ଏବଂ ମୋ ନାମରେ କୌଣସି ଏଫଆଇଆର ନାହିଁ ବୋଲି ପାଟିକରୁଥିଲେ ଯୁବକ ଜଣକ । ଆଉ ଗେଟ୍ ବାହାରେ କାନ୍ଦୁଥିଲେ ତାଙ୍କ ପତ୍ନୀ ଓ ଛୋଟ ପୁଅ ଝିଅ । ଏହା ପରେ ଥାନା ବାହାରେ ପ୍ରବଳ ଗହଳି ହୋଇଥିଲା । ଖବର ପାଇ ନିକଟସ୍ଥ ତିନି ଥାନାର ଅଧିକାରୀ ଓ ଜୋନ୍ ଏସିପି ମଧ୍ୟ ଆସି ପହଂଚିଥିଲେ ।

ଏହା ପରେ ଉପରୁ ନିର୍ଦ୍ଦେଶ ପାଇ ତୁରନ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ପୋଲିସ କହିବା ଅନୁଯାୟୀ ଯୁବକ ଜଣକ ଥାନା ଭିତରେ ପଶି ବଚସା ପରେ ପୋଲିସ କର୍ମଚାରୀଙ୍କୁ ଠେଲାପେଲା କରିବାରୁ ତାଙ୍କୁ କାବୁ କରିବାକୁ ଉଦ୍ୟମ କରାଯାଇଥିଲା । ସେପଟେ ଗିରଫ ଯୁବକଙ୍କ ପତ୍ନୀ ପାଲଟା ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କ ଗୁହାରୀ ଶୁଣିବା ବଦଳରେ ତାଙ୍କ ସ୍ୱାମୀଙ୍କୁ ମାରଧର କରିବା ସହ ତାଙ୍କୁ ଅସଦାଚରଣ କରିଥିଲେ ।