ମହିଳାଙ୍କୁ ସଶକ୍ତକରିବା ପାଇଁ ପ୍ରେରଣା ପାଲଟିଛନ୍ତି ହେମଲତା ଶଙ୍ଖୁଆ । କୁଟୀର ଶିଳ୍ପ ଜରିଆରେ ସ୍ଥାନୀୟ ମହିଳାଙ୍କୁ ଯୋଗାଇଛନ୍ତି ରୋଜଗାର

85

କନକ ବ୍ୟୁରୋ: ବୟସ ସାଜିନି ବାଧକ । ବୟସ ୬୦ ଛୁଇଁଥିଲେ ମଧ୍ୟ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ଫଳରେ ସଭିଙ୍କ ପ୍ରିୟପାତ୍ର ହୋଇଛନ୍ତି ହେମ ନାନୀ । ଅନ୍ୟ ମହିଳାଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । କପ୍ତିପଦା ବ୍ଲକ ବଡଖଲାଡ଼ି ଗାଁର ହେମଲତା ଶଙ୍ଖୁଆ ନିଜେ ସ୍ୱାବଲମ୍ବୀ ହେବା ସହ ୧୫ରୁ ଅଧିକ ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି ।

ବୟସର ଶେଷ ପାହାଚରେ ପହଂଚିଥିଲେ ବି କେବେ ସେ ଥକି ନାହାନ୍ତି । କେବଳ ନିଜେ ନୁହେଁ ଶହ ଶହ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଘରୁ ପାଦ କାଢ଼ିବା ପରେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । କପ୍ତିପଦା ବ୍ଲକ ବଡଖଲାଡ଼ି ଗାଁର ହେମଲତା ଶଙ୍ଖୁଆ ବା ହେମ ନାନୀ । ପ୍ରଥମେ କିଛି ମହିଳାଙ୍କୁ ନେଇ ହଳଦୀ ଗୁଣ୍ଡ, ଫୁଟଣ, ମସଲା ପ୍ୟାକିଂ କରି ବିକ୍ରି କରୁଥିଲେ । ପରେ ତାଙ୍କ ଉଦ୍ୟମରେ ଏକ ଛତୁଆ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିଛନ୍ତି । ଆଉ ଏଥିରେ କାମ କରୁଛନ୍ତି ସ୍ଥାନୀୟ ମହିଳା । ନବଦିଗନ୍ତ ଛତୁଆ ଫ୍ୟାକ୍ଟ୍ରିରେ ୧୫ରୁ ଅଧିକ ମହିଳା କାମ କରୁଥିବା ବେଳେ ସେଠାରୁ ଉନ୍ନତ ମାନର ଛତୁଆ ପ୍ରସ୍ତୁତ କରି ବିଭିନ୍ନ ଅଙ୍ଗନବାଡିକୁ ଯୋଗାଉଛନ୍ତି ।

ଛତୁଆ ପ୍ରସ୍ତୁତ ସହିତ ବିଭିନ୍ନ ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହ କରି ତାକୁ ବିକ୍ରି କରାଯାଉଛି । ଜଙ୍ଗଲଜାତ ସାମଗ୍ରୀ ମଧ୍ୟରେ ରହିଛି ଝୁଣା, ଲାଖ, ବିଭିନ୍ନ ପ୍ରକାର ଔଷଧୀୟ ଗଛର ଫଳରୁ ପ୍ରସ୍ତୁତ ପାଉଡ଼ର । ବ୍ଲକର ବିଭିନ୍ନ ଗାଁ ଗାଁ ବୁଲି ଗ୍ରୁପ୍ ଗଠନ କରି ମହିଳାଙ୍କୁ ରୋଜଗାର କରିବାର ବାଟ ଦେଖାଇଛନ୍ତି ହେମ ନାନୀ । ଆଖାପାଖ ଅଞ୍ଚଳର ମହିଳାଙ୍କୁ ସଂଗଠିତ କରି ଏଭଳି ସୁନ୍ଦର ପ୍ରୟାସ ଆରମ୍ଭ କରି ଏଥିରେ ସଫଳତା ମଧ୍ୟ ପାଇଛନ୍ତି । ତେବେ ହେମଲତାଙ୍କ ପାଖରେ କାମ କରୁଥିବା ମହିଳାମାନେ ନିଜର କାମକୁ ନେଇ ଖୁସି ପ୍ରକାଶ କରିଛନ୍ତି । ହେମନନୀଙ୍କ ସହ କାମ କରି ଦୁଇ ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ କରୁଥିବା କହିଛନ୍ତି । ହେମଲତାଙ୍କ ଚେଷ୍ଟା ଓ କଠିନ ପରିଶ୍ରମ ଯୋଗୁ ସ୍ଥାନୀୟ ମହିଳା ମାନେ ଉପାର୍ଜନକ୍ଷମ ହୋଇଛନ୍ତି । ଏଥିପାଇଁ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ହେମଲତା ।