ଦୃଷ୍ଟିହୀନ ଝିଅକୁ ନେଇ ପର ଦାଣ୍ଡରେ ଦିନ କାଟୁଛି ଅସହାୟ ମା’: ସହାୟତା ପାଇଁ କରୁଛନ୍ତି ନିବେଦନ

85

କନକ ବ୍ୟୁରୋ: ଆଖିରେ ଅସରନ୍ତି ଲୁହ । ମନର କୋହ ବନ୍ଧ ବାଡ ମାନୁନି । ଜୀବନଟା କେମିତି ବିତୁଛି କହିଲା ବେଳକୁ କାନ୍ଦି ପକାଉଛନ୍ତି ବୁଢୀ ମାଉସୀ । ସମୟ ସୁଅରେ ମଣିଷ ଏମିତି ଅସହାୟ ହୋଇପଡେ । ଜୀବନର ଯନ୍ତ୍ରଣା ଭୋଗୁଥିବା ମଣିଷକୁ ଆହା ପଦେ କହିବାକୁ କେହି ଆସନ୍ତି ନାହିଁ । ଲୋକ ପ୍ରତିନିଧିମାନେ ବି ଏହି ଦୁଃଖୀ ମଣିଷର ବିପଦରେ ସାହା ହୁଅନ୍ତି ନାହିଁ । ଇଶ୍ୱରଙ୍କ ଉପରେ ଭରଷା ରଖି ଜୀବନ ଜିଉଁଛନ୍ତି ବୁଢୀ ମାଉସୀ ଆଉ ତାଙ୍କ ଦୃଷ୍ଟିହୀନ ଝିଅ । ଯେଉଁ କାହାଣୀକୁ ଦେଖିଲେ ଆପଣଙ୍କ ଆଖିବି ଛଳଛଳ ହୋଇଯିବ ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଦିଘି ଗାଁର ସୁଲୋଚନା ମଲିକ । ପରିବାର କହିଲେ ଅନ୍ଧୁଣୀ ଝିଅଟିଏ । ଅନେକ ଦିନ ତଳୁ ସ୍ୱାମୀ ଆରପାରିକୁ ଚାଲିଯିବା ପରେ ସୁଲୋଚନା ତାଙ୍କର ଏକମାତ୍ର ଝିଅକୁ ନେଇ ଦୁଃଖେ ସୁଖେ ଜୀବନ କାଟୁଛନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ । ଭିକ୍ଷାବୃତି କରି ଦିନକୁ ଦି’ଓଳି ଦାନା ସିନା ଯୋଗାଡ ହୋଇଯାଉଛି, ହେଲେ ରାତି ହେଲେ ମାଆ ଝିଅଙ୍କର ଚିନ୍ତା ବଢିଯାଉଛି । ରାତି ଯେତିକି ବଢିଚାଲେ ମାଆ ଝିଅ ଦୁଇଜଣ ମୁଣ୍ଡ ଗୁଞ୍ଜିବା ପାଇଁ କୌଣସି ଏକ ସୁରକ୍ଷିତ ସ୍ଥାନ ଖୋଜି ବୁଲନ୍ତି । ଦୃଷ୍ଟିହୀନ ଝିଅକୁ ଧରି ଆଜି ଏ ପିଣ୍ଢା ତ କାଲି ସେ ପିଣ୍ଢା ଶୀତ କାକରରେ ଘୁରି ବୁଲେ ମା । କିଛି ନହେଲେ ଗାଁରେ ଥିବା ସ୍କୁଲ ପିଣ୍ଢାରେ ମାଆ ଝିଅଙ୍କର ରାତି ପାହିଯାଏ ।

ଆଉ ସକାଳ ପାହିଲେ ପେଟକୁ ଦାନା ଯୋଗାଡ ପାଇଁ ଝିଅକୁ ପରପିଣ୍ଢାରେ ଛାଡି ମାଆ ଚାଲିଯାଏ ଭିକ୍ଷାବୃତି କରିବା ପାଇଁ । ନିଜର ଦୁଃଖ କହିବା ବେଳେ ସୁଲୋଚନାଙ୍କ ଅନ୍ତରର ବେଦନା ଆଖିର ଲୁହ ହୋଇ ବୋହି ଆସେ । ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କଠୁ ଆରମ୍ଭ କରି ନେତାମନ୍ତ୍ରୀଙ୍କୁ ଗୁହାରି କରିଥିଲେ ବି ତାଙ୍କ ଦୁଃଖ କାହାରି ଆଖିରେ ପଡିନି । କି କେବେ କେହି ସହାୟତା କରିବାକୁ ଆସିନାହାନ୍ତି । ଏମିତି ଦୁଃଖ କଷ୍ଟରେ କେତେ ଦିନ ବା ବଞ୍ଚିବେ, କେତେ ଦିନ ପର ଦାଣ୍ଡରେ ମୁଣ୍ଡ ଗୁଞ୍ଜିବେ? ଏହି କଥା ଭାବି ଭାବି ବୁଢୀ ମା ଗୁମୁରି କାନ୍ଦୁଛି ।

ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ଅନେକ ସମୟରେ ରାଜ୍ୟ ରାଜନୀତି ସରଗରମ ହେଉଛି । ହେଲେ ସୁଲୋଚନାଙ୍କର ଏହି ଦୁଃଖ କାହାଣୀ ରାଜନୈତିକ ପଶାପାଲି ଭିତରେ ପେଶି ହୋଇଯାଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଆବାସ ଯୋଜନା କାହା ପାଇଁ? କାହିଁକି ଏହି ଅସହାୟ ମା ଝିଅଙ୍କ ପାଖରେ ପହଞ୍ଚି ପାରୁନି ସ୍ଥାନୀୟ ପ୍ରଶାସନ? କଣ ଏମାନେ ଆବାସ ଯୋଜନାରେ ଘରେ ଖଣ୍ଡେ ପାଇବା ପାଇଁ ହକଦାର ନୁହନ୍ତି?

ତେବେ ମା’ ଝିଅଙ୍କ ଏମିତି ଅସହାୟ ସମୟରେ ପ୍ରଶାସନ ତାଙ୍କ ପାଖରେ ପହଞ୍ଚି କିଛି ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ ବି ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି । ତେବେ ଦେଖିବା ବାକି ରହିଲା କେବେ ଏହି ଅସହାୟ ମାଝିଅଙ୍କୁ ସହାୟତା ଯୋଗାଇ ଦିଆଯାଉଛି ।