ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼: ଘଣ୍ଟା ଘଣ୍ଟା କରିବାକୁ ପଡ଼ିଲା ଅପେକ୍ଷା

1,287

କନକ ବ୍ୟୁରୋ: ନୂଆ ସରକାର ଗଠନ ପରେ ଚାରିଦ୍ୱାର ଖୋଲି ବିଜେପି ତା’ର ପ୍ରଥମ ପ୍ରତିଶ୍ରୁତି ପାଳନ କରିଥିଲା । ଚାରିଦ୍ୱାର ଖୋଲିବା ପରେ ଶ୍ରଦ୍ଧାଳୁ ଖୁସିରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । କିନ୍ତୁ ଗତ ଦୁଇ ଦିନ ହେବ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼ ନା କେବଳ ଶ୍ରଦ୍ଧାଳୁଙ୍କୁ କଷ୍ଟ ଦେଉଛି ବରଂ ପ୍ରଶାସନକୁ ମଧ୍ୟ ନୟାନ୍ତ ହେବାକୁ ପଡ଼ୁଛି । ଛୁଟିଦିନ ପାଇଁ ଭିଡ଼ ହେଉଥିବା କହିଛନ୍ତି ସରକାର । ତୁରନ୍ତ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଶ୍ରୀମନ୍ଦିରକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଚାରିଦ୍ୱାର ଖୋଲିବା ପରେ ଜଗାଦର୍ଶନ ପାଇଁ ଥିବା ଆଗ୍ରହ ଆହୁରି ଦୁଇ ଗୁଣା ବଢ଼ିଯାଇଛି । ଆଉ ଛୁଟି ଦିନରେ ପ୍ରବଳ ଭିଡ଼ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ତିକ୍ତ ଅନୁଭୂତି ସାଉଁଟିବାକୁ ପଡ଼ିଛି । ଗୋଟିଏ ପଟେ ଶେଷ ରଜ, ଆଉ ଗୋଟିଏ ପଟେ ରବିବାର ଥିବାରୁ ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ଭିଡ ଛୁଟିଥିଲା । ହେଲେ ଭିଡ଼ ଏତେ ବଢ଼ି ଯାଇଥିଲା ଯେ, ସିଂହଦ୍ୱାର ଦେଇ ଦର୍ଶନ ପାଇଁ ଅପେକ୍ଷା କରିଥିବା ଭକ୍ତଙ୍କ ଧାଡ଼ି ରଥକଡ଼ଠାରୁ ଦୋଳବେଦୀ କୋଣରାସ୍ତା ପର୍ଯ୍ୟନ୍ତ ଲମ୍ବି ଯାଇଥିଲା । ସେହିପରି ପଶ୍ଚିମଦ୍ୱାର ଓ ଦକ୍ଷିଣ ଦ୍ୱାର ଧାଡ଼ି ଚଉରାଛକ ପର୍ଯ୍ୟନ୍ତ ଲମ୍ବିଯାଇଥିଲା ।

ଭକ୍ତଙ୍କ ଭିଡ଼କୁ ଦେଖି, ତୁରନ୍ତ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଦାବି ଉଠିଛି । ସାତ ପାହାଚଠାରୁ ନାଟମଣ୍ଡପ, ଭିତର କାଠ ପର୍ଯ୍ୟନ୍ତ ମାନବଶୃଙ୍ଖଳ ଜରିଆରେ ଧାଡ଼ି କରି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ସେପଟେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ମ୍ୟାନେଜିଂ କମିଟି ବୈଠକ ବସିବ ବୋଲି ସୂଚନା ଦିଆଯାଇଛି । ସମସ୍ତ ସହଯୋଗୀ ପକ୍ଷଙ୍କ ସହ ଆଲୋଚନା କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି-ଛୁଟି ଥିବା କାରଣରୁ ଏବେ ଭିଡ ହେଉଛି । କିନ୍ତୁ କୌଣସି ସମସ୍ୟା ନାହିଁ ।

ସେପଟେ ପ୍ରବଳ ଭିଡ଼ ଯୋଗୁଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ନୂତନ ନିର୍ଦ୍ଦେଶାନାମା ଅନୁସାରେ, ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ କିଛି ଦିନ ସମୟ ଲାଗିବ ବୋଲି କହିଛନ୍ତି ପୁରୀ ଏସପି ।

ଯଦିଓ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ପରେ ସମସ୍ତଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳୁଛି । ତଥାପି ଛୁଟି ଥିବା କାରଣରୁ ଭଡ଼ି ବଢ଼ି ଯାଇଥିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି । କିନ୍ତୁ ଆଗକୁ ମହାପ୍ରଭୁଙ୍କ ଦେବ ସ୍ନାନ ପୂର୍ଣ୍ଣିମା ଥିବାରୁ ଭିଡ଼କୁ କିଭଳି ନିୟନ୍ତ୍ରଣ କରାଯିବ ତାହା ସବୁଠାରୁ ବଡ଼ ପ୍ରଶ୍ନ ।