କେନ୍ଦୁଝରରୁ ଆସିଲା ଛାତିଥରା ଶୀତର କାହାଣୀ: ୫ ଡିଗ୍ରୀ ତଳେ ଜିଲ୍ଲାର ଏକାଧିକ ସ୍ଥାନ, ୧୦ ବର୍ଷର ରେକର୍ଡ ଭାଂଗିଲା ପାରଦ

103

କନକ ବ୍ୟୁରୋ: କେନ୍ଦୁଝରରୁ ଆସିଲା ଛାତିଥରା ଶୀତର କାହାଣୀ । ୫ ଡିଗ୍ରୀ ତଳେ ଜିଲ୍ଲାର ଏକାଧିକ ସ୍ଥାନ । କେନ୍ଦୁଝରରେ ଶୀତ ଗତ ୧୦ ବର୍ଷର ରେକର୍ଡ ଭାଂଗିଥିବା ବେଳେ ଗତ ୪ ଦିନ ହେଲା କେନ୍ଦୁଝର ଗଡ଼ ସହରର ତାପମାତ୍ରା ୭ ଡିଗ୍ରୀ ତଳେ ରହିଛି । ସେହିପରି କାଂଜିପାଣି, କାଦକଳା, କିରିବୁରୁ ଓ ବଲାଣିରେ ତାପମାତ୍ରା ୫ଡିଗ୍ରୀ ତଳକୁ ଖସିଥିବା ଜଣାପଡ଼ିଛି । ପ୍ରବଳ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ କେନ୍ଦୁଝର ସହର ରାତି ୮ଟା ବେଳକୁ ଶୂନଶାନ୍ ହୋଇପଡୁଛି ।

ଅନ୍ୟପକ୍ଷରେ, ଅପରାହ୍ନ ୫ଟାରୁ ବିନା ଶୀତବସ୍ତ୍ରରେ ପଦାକୁ ବାହାରିବା ମୁସ୍କିଲ ହୋଇ ପଡିଛି। ପୂର୍ବଭଳି ଶୀତ ସହ ସକାଳ ୯ଟା ପର‌୍ୟ୍ୟନ୍ତ ଘନ କୁହୁଡି ବି ଲାଗି ରହୁଛି। ରାସ୍ତାଘାଟ ଓ ବଜାର ଶୂନଶାନ ହୋଇ ପଡୁଛି। କେବଳ ଚା’ ଦୋକାନରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ଶୀତ ଯୋଗୁ କନ୍ଧମାଳ ବି ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଶୀତରୁ ତ୍ରାହି ନିମନ୍ତେ କିଏ ନିଆଁ ପୁହାଁକୁ ସାହା କରୁଛି ତ ଆଉ କିଏ ଟାୟାର ଜାଳୁଛନ୍ତି। ଆହୁରି ୪-୫ ଦିନ ଶୀତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଏହାକୁ ନେଇ ସମଗ୍ର କନ୍ଧମାଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ଶୀତରୁ ମଜା ଉଠାଇବା ନିମନ୍ତେ ଫୁଲବାଣୀ,ଦାରିଙ୍ଗବାଡି ସହ ବିଭିନ୍ନ ପର‌୍ୟ୍ୟଟନ କ୍ଷେତ୍ରକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି।