ନିରାଶ କଲେ ବଟଲର, ଦମ ଦେଖାଇଲେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା । ବାଜି ମାରିନେଲା ନୂଆ ଦଳ ଗୁଜୁରାଟ ଟାଇଟନ୍ସ

181

କନକ ବ୍ୟୁରୋ : ନିରାଶ କଲେ ବଟଲର, ବାଜି ମାରିନେଲା ଗୁଜୁରାଟ ଟାଇଟନ୍ସ । ଆଇପିଏଲର ୧୫ ତମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଚମ୍ପିୟାନ ହୋଇଛି ନୂଆ ଦଳ ଗୁଜୁରାଟ । ୪ ଓଭରରେ ୧୭ ରନ ଦେଇ ୩ଟି ୱକେଟ୍ ନେବା ସହ ୩୦ ରନ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ କ୍ୟାପେଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କୁ ମ୍ୟାନ ଅଫ୍ ପ୍ଲେୟର ପୁରସ୍କାର ମିଳିଥିଲା ।

ତେବେ ରାଜସ୍ଥାନ ରୟାଲ୍ସକୁ ଫାଇନାଲ ପର୍ଯ୍ୟନ୍ତ ଆଣିବାରେ ମୁଖ୍ୟ ଭୂମିକା ନିଭାଇଥିବା ଜସ ବଟଲର ମ୍ୟାନ ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ମିଳିଛି । ଟୁର୍ଣ୍ଣାମେଣ୍ଟରେ ୨୭ଟି ୱିକେଟ ନେଇ ୟୁଜଭେନ୍ଦର ଚହଲ ସବୁଠୁ ଶୀର୍ଷରେ ଅଛନ୍ତି । ପ୍ରଥମେ ଟସ୍ ଜିତି ରାଜସ୍ଥାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା । କୌଣସି ବ୍ୟାଟର ଅର୍ଦ୍ଧଶତକ ପୁରା କରିପାରିନଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୦ ରନ କରିବାରେ ସକ୍ଷମ ହୋଇଥିଲା । ପ୍ରାରମ୍ଭରୁ ଗୁଜୁରାଟ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା ।

ପରେ ସୁଭମନ ଗିଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜ୍ ରହି ଭଲ ପାଟନରସିପ୍ ଦେଇଥିଲେ । ଯାହା ଦଳକୁ ବିଜୟୀ କରିବାରେ ସହାୟକ ହୋଇଥିଲା । ୧୮ ଓଭର ଗୋଟିଏ ବଲରେ ଦଳ ବିଜୟୀ ହୋଇଥିଲା । ତେବେ ମ୍ୟାଚରେ ପ୍ରବଳ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା ୧ ଲକ୍ଷରୁ ଅଧିକ ଲୋକେ ଷ୍ଟାଡିୟମରେ ବସି ମ୍ୟାଚ ଦେଖିଥିଲେ । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ।