ଚିନ୍ତା ବଢ଼ାଉଛି ‘ଏଚ୍୩ଏନ୍୨’ ଭୂତାଣୁ । ଦେଶରେ ୨ ଜଣଙ୍କ ମୃତ୍ୟୁ । ଜାଣନ୍ତୁ, ଏହାର ଲକ୍ଷଣ?

130

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛି ଥଣ୍ଡା, ଜ୍ୱର ଓ କାଶ । ବିଭିନ୍ନ ରାଜ୍ୟରେ ‘ଇନଫ୍ଲୁୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହେବା ଖବର ଭୟକୁ ଆହୁରି ବଢ଼ାଇ ଦେଇଛି ।

  • ଚିନ୍ତା ବଢ଼ାଉଛି ‘ଏଚ୍୩ଏନ୍୨’ ଭୂତାଣୁ
  • ଦେଶରେ ୨ ଜଣଙ୍କ ମୃତ୍ୟୁ

କରୋନା ମହାମାରୀ ପରେ ଦେଶରେ ଏବେ ଚିନ୍ତା ବଢ଼ାଇଛି ଥଣ୍ଡା, ଜ୍ୱର, କାଶ । ଆଉ ଏହାର କାରଣ ହେଉଛି ଏଚ୩ଏନ୨ ଭୂତାଣୁ । ଅନେକ ରାଜ୍ୟରେ ‘ଇନଫ୍ଲୁୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁରେ ଲୋକେ ଆକ୍ରାନ୍ତ ହେବା ସହ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଏହା ଅଧିକ ସଂକ୍ରାମକ ହୋଇଥିବାରୁ ରୋଗୀଙ୍କ ସଂଖ୍ୟା ବଢ଼ିବ ବୋଲି ସତର୍କ କରିଛି ଆଇସିଏମଆର । ଏହି ଭୂତାଣୁରେ ଦେଶରେ ପ୍ରଥମ ମୃତ୍ୟୁ ହେବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । କର୍ଣ୍ଣାଟକରେ ଜଣେ ୮୨ ବର୍ଷର ବୃଦ୍ଧ ଓ ହରିୟାଣାରେ ଜଣଙ୍କ ମୃତ୍ୟୁ ପରେ ସତର୍କ ଘଣ୍ଟି ବାଜିଛି ।

ସାଧାରଣ ସିଜିନାଲ୍ ଫ୍ଲୁ ବୋଲି ଲକ୍ଷଣ ରହୁଥିବା ବେଳେ ଦୀର୍ଘ ଦିନ ଧରି ଲୋକେ ଏଥିରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି । ନଜର ପକାନ୍ତୁ କ’ଣ ରହିଛି ‘ଏଚ୍୩ଏନ୍୨’ର ଲକ୍ଷଣ?

  • ଥଣ୍ଡା, ଜ୍ୱର ଓ କାଶ
  • ଗଳା ଦରଜ, ଶରୀରରେ ପୀଡ଼ା
  • ସାଧାରଣ ଥଣ୍ଡା ଠାରୁ ଅଧିକ ଦିନ ଧରି ଲକ୍ଷଣ ଦେଖାଦେବା
  • ଜ୍ୱର ଛାଡ଼ିବା ପରେ କାଶ ଲାଗି ରହିବା
  • ସିଜିନ୍ ପରବର୍ତ୍ତନ ହେବା ସମୟରେ ସକ୍ରିୟ ରହୁଛି ଭୂତାଣୁ
  • ଅଧିକ ସଂକ୍ରାମକ ହୋଇଥିବାରୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ
  • ଛୋଟ ପିଲା ଓ ୬୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ସହଜରେ ସଂକ୍ରମିତ କରିଥାଏ
  • ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଘାତକ ହୋଇଥାଏ

ବିଶେଷଜ୍ଞ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ପ୍ରତିବର୍ଷ ସିଜିନ୍ ପରିବର୍ତ୍ତନ ବେଳେ ଏଚ୍୩ଏନ୍୨ ଭୂତାଣୁରେ ଲୋକେ ପୀଡିତ ହୋଇଥାନ୍ତ । କିନ୍ତୁ ଏହି ଭୁତାଣୁ ଏବେ ବ୍ୟାପିବାରେ ଲାଗିଛି । ତେଣୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଗୁଲେରିଆ ।

କେମିତି ରୋକିହେବ ସଂକ୍ରମଣ?

  • ଲକ୍ଷଣ ଦେଖାଦେଲେ ମାସ୍କ ପିନ୍ଧିବା ସହ ଜନଗହଳି ସ୍ଥାନକୁ ନଯିବା
  • ନିଜକୁ ସଙ୍ଗରୋଧରେ ରଖିବା
  • କାଶିବା, ଛିଙ୍କିବା ସମୟରେ ମୁହଁକୁ ଢାଙ୍କି ରଖିବା
  • ଅଧିକ ବିଶ୍ରାମ ନେବା ସହ ଯଥେଷ୍ଟ ପାଣି ପିଇବା ଆବଶ୍ୟକ
  • ବାରମ୍ବାର ହାତ ଧୋଇବା କିମ୍ବା ସାନିଟାଇଜ୍ କରିବା
  • ବୟସ୍କ ବ୍ୟକ୍ତିଙ୍କ ଅଧିକ ଯତ୍ନ ନେବା
  • ଅକ୍ସିଜେନ୍ ମାତ୍ରା କମିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା