ଜିଏସଟିକୁ ପୂରିଲା ମାସେ । ଖାଉଟିଙ୍କୁ ମିଳୁନି ଲାଭ , ଏବେ ବି ଦ୍ୱନ୍ଦ୍ୱରେ ବ୍ୟବସାୟୀ

20

କନକ ବ୍ୟୁରୋ: ଜୁଲାଇ ପହିଲାରୁ ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) କାର୍ଯ୍ୟକାରୀ ହେଲାଣି । ଫଳରେ ଜିଏସଟିକୁ ଏକ ମାସ ପୂରଣ ହୋଇଯାଇଛି । ମାସେ ବିତିଯାଇଥିଲେ ମଧ୍ୟ ବ୍ୟବସାୟୀମାନେ ନୂଆ ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଆପଣାଇ ପାରିନାହାନ୍ତି । ବଜାରକୁ ସାମଗ୍ରୀ ଯୋଗାଣ ସ୍ୱାଭାବିକ ହୋଇନାହିଁ । ଗ୍ରାହକ, ବ୍ୟବସାୟୀ ଓ ସରକାରଙ୍କ ପାଇଁ ଜିଏସଟି କେତେଦୂର ଲାଭଦାୟକ ହେବ ତାହା ଆଉ କିଛି ଦିନ ଯିବା ପରେ ହିଁ ଜଣାପଡ଼ିବ ବୋଲି ଟିକସ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ଗ୍ରାହକମାନେ ମତ ଦେଇଛନ୍ତି ।

ଜିଏସଟି ଲାଗୁ ହେବା ପରେ ଦୁଇ ପ୍ରକାର ଏମଆରପି ଲେଖିବା ଏବଂ ମୂଲ୍ୟ ହ୍ରାସର ଲାଭ ଗ୍ରାହକଙ୍କୁ ଦେବା ଲାଗି ସରକାର ଯେଉଁ ନିୟମ କରିଛନ୍ତି ତାହାକୁ କାଁ ଭାଁ ପାଳନ କରାଯାଉଛି । ଯେଉଁଠି ପ୍ରତିଯୋଗିତାମୂଳକ ବଜାର ରହିଛି ସେଠାରେ ଗ୍ରାହକମାନେ ମୂଲ୍ୟ ହ୍ରାସର ଲାଭ ପାଉଥିବାବେଳେ ଅନ୍ୟସ୍ଥାନରେ ତାହା ମିଳୁନାହିଁ । ଗ୍ରାହକ ଯେଭଳି ମୂଲ୍ୟ ହ୍ରାସର ଲାଭ ପାଇବେ ତାହାକୁ ସରକାର କଡ଼ାକଡ଼ି ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

କେତେକ ବଡ଼ ବଡ଼ ବ୍ୟବସାୟୀ ଜିଏସଟି ବ୍ୟବସ୍ଥା ଅନୁଯାୟୀ ବ୍ୟବସାୟ କରୁଥିବାବେଳେ ଛୋଟ ଛୋଟ ବ୍ୟବସାୟୀ ନୂଆ ବ୍ୟବସ୍ଥାକୁ ଏପର୍ୟ୍ୟନ୍ତ ବୁଝିପାରି ନାହାନ୍ତି । ଯେଉଁ ଛୋଟ ବ୍ୟବସାୟୀ ଜିଏସଟିକୁ ଯାଇନାହାନ୍ତି ସେମାନେ ତାଙ୍କ ତଳେ ରହିଥିବା ବ୍ୟବସାୟୀଙ୍କୁ ଏଣ୍ଡ୍ କଷ୍ଟମର ବା ଅନ୍ତିମ ଗ୍ରାହକ ଭାବେ ସାମଗ୍ରୀ ବିକ୍ରି କରୁଛନ୍ତି । ଫଳରେ ସେହି ଛୋଟ ବ୍ୟବସାୟୀମାନେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇବାର ସୁଯୋଗ ପାଉନାହାନ୍ତି ।

ଅନ୍ୟପକ୍ଷରେ ନୂଆ ଟିକସ ବ୍ୟବସ୍ଥା କାର୍ୟ୍ୟକାରୀ ହେବା ଦ୍ୱାରା ଅନ୍ତଃରାଜ୍ୟ ଚେକଗେଟ୍ ଗୁଡ଼ିକ ଉଚ୍ଛେଦ ହୋଇଛି । ଫଳରେ ମାଲ ପରିବହନ ସମୟ ହ୍ରାସ ଘଟିଛି । ତନଖି ଫାଟକ ନିକଟରେ ଘଣ୍ଟା ଘଣ୍ଟା ଧରି ଟ୍ରକ୍ ଗୁଡ଼ିକୁ ଆଉ ଠିଆ ହେବାକୁ ପଡ଼ୁନାହିଁ । ଯେଉଁ ମାଲ୍ ଦିଲ୍ଲୀ କିମ୍ବା ମୁମ୍ବାଇରୁ ଭୁବନେଶ୍ୱରରେ ପହଞ୍ଚିବା ଲାଗି ପୂର୍ବରୁ ୭ ଦିନ ଲାଗୁଥିଲା ତାହା ଏବେ ୪ ଦିନରେ ପହଞ୍ଚି ଯାଉଛି । ତେବେ ଜିଏସଟି ଏକ ପ୍ରଯୁକ୍ତିଭିତ୍ତିକ ଟିକସ ବ୍ୟବସ୍ଥା ହୋଇଥିବାରୁ ବିଲିଂ ଏପର୍ଯ୍ୟନ୍ତ ଠିକ୍ ଭାବେ ହୋଇପାରି ନାହିଁ । ଗ୍ରାହକମାନେ ବି ମୂଲ୍ୟ ହ୍ରାସର ଲାଭ ପାଇନାହାନ୍ତି ।

ଜିଏସଟି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହାର ଅସଲ ବିଷୟ ବା ରିଟର୍ଣ୍ଣ ଫାଇଲ ଏ ପର୍ଯ୍ୟନ୍ତ ହୋଇନାହିଁ । ଅନେକ ବ୍ୟବସାୟୀଙ୍କ ପାଇଁ କମ୍ପ୍ୟୁଟରରେ କାର୍ଯ୍ୟ କରିବା ସହଜ ହୋଇନାହିଁ । ଫଳରେ ରିଟର୍ଣ୍ଣ ଫାଇଲ କରିବା ପରେ ବ୍ୟବସ୍ଥା ସମ୍ପର୍କରେ ପରିଚିତ ହେବୁ । ଏହାପରେ ନୂଆ ଟିକସ ବ୍ୟବସ୍ଥା କେତେ ଭଲ ବା ଖରାପ ତାହା ଜଣାପଡ଼ିବ । ଖାଲି ଥିଓରିରେ କିଛି ବୁଝାପଡ଼ିବନି । ପ୍ରାକ୍ଟିକାଲ କରିବା ପରେ ହିଁ ସବୁକିଛି ସ୍ପଷ୍ଟ ହେବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କୁହନ୍ତି । ପ୍ରଥମ ରିଟର୍ଣ୍ଣ ଅଗଷ୍ଟ ୧୦ ତାରିଖ ବେଳକୁ ଫାଇଲ କରିବା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ବିଧୁଭୂଷଣ ନାୟକ କୁହନ୍ତି ଗୋଟିଏ ବିଜନେସ୍ ସାଇକଲ୍ ସାଧାରଣତଃ ୩ ମାସ ନେଇଥାଏ । କମ୍ପାନିରୁ ଉତ୍ପାଦନ ହୋଇ ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଲାଗି ଏହି ସମୟ ଲାଗିଥାଏ । ତେଣୁ ଜିଏସଟି ପୂର୍ବରୁ ଯେଉଁ ସାମଗ୍ରୀ ବଜାରକୁ ଆସିଥିଲା ତାହା ଶେଷ ହେବାକୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଲାଗିଯିବ । ତାହା ପରେ ନୂଆ ଟିକସ ବ୍ୟବସ୍ଥାର ଲାଭ ଲୋକେ ପାଇବେ ବୋଲି ଶ୍ରୀ ନାୟକ କୁହନ୍ତି ।

ଆଇଟି ବ୍ୟବସାୟ ଉପରେ ନୂଆ ଟିକସ ବ୍ୟବସ୍ଥା ଅନୁକୂଳ ପ୍ରଭାବ ପକାଇଛି ବୋଲି କୁହନ୍ତି ଭୁବନେଶ୍ୱରର ପ୍ରତିଷ୍ଠିତ ଆଇଟି ବ୍ୟବସାୟୀ ରୁଦ୍ରକାନ୍ତ ମହାପାତ୍ର । ତାଙ୍କ କହିବାନୁଯାୟୀ ଯାହା ବ୍ୟବସାୟ ହେଉଛି ବିଲରେ ହେଉଛି । ହାତ ଲେଖା ଚିଠା ଯୁଗ ଶେଷ ହୋଇଯାଇଛି । ଆକାଉଣ୍ଟିଂ କାର୍ଯ୍ୟ ସବୁ କମ୍ପ୍ୟୁଟରରେ କରାଯାଉଛି । ଫଳରେ ଲାପଟପ୍, ଡେସ୍କଟପ୍ ବିକ୍ରି ବୃଦ୍ଧି ଘଟିଛି । ଜିଏସଟି ପାଇଁ ସଫ୍ଟଓୟାର ବିକ୍ରି ମଧ୍ୟ ବଢ଼ିଛି ।

୩ ମାସ ମଧ୍ୟରେ ସବୁ ବ୍ୟବ୍ୟସାୟୀ ନୂଆ ଟିକସ ବ୍ୟବସ୍ଥା ପରିସରକୁ ଆସିଯିବେ । ଫଳରେ ଜିଏସ୍ଟିର ଲାଭ ଉଭୟ ଗ୍ରାହକ ଏବଂ ବ୍ୟବସାୟୀ ପାଇବେ ବୋଲି ବୋଲି ଶ୍ରୀ ମହାପାତ୍ର ମତବ୍ୟକ୍ତ କହିଛନ୍ତି । ଜିଏସଟି ଏବଂ ସୀମା ଶୁଳ୍କ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ସୁଦ୍ଧା କେନ୍ଦ୍ରୀୟ ଜିଏସଟି ବ୍ୟବସ୍ଥାକୁ ୬୪ ପ୍ରତିଶତ ଟିକସଦାତା ଆସିଲେଣି । ଅବଶିଷ୍ଟ ଟିକସଦାତା ନିକଟ ଭବିଷ୍ୟତରେ ଜିଏସଟି ପରିସରକୁ ଆସିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି ।