ଟ୍ରେନ୍ ଶୌଚାଳୟରୁ ମୃତଦେହ ମିଳିବା ଘଟଣା : ପରିଚୟ ଜାଣିବା ପାଇଁ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା ଜିଆରପି, ତଥ୍ୟଦେଲେ ମିଳିବ ପୁରସ୍କାର

265

କନକ ବ୍ୟୁରୋ : ସତ୍ୟନଗର କୋଚିଂୟାର୍ଡରେ ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସର ଛାନଭିନ୍ । ମୃତ ମହିଳାଙ୍କ ପୋଷ୍ଟର ଲଗାଇଲା ଜିଆରପି । ଭୁବନେଶ୍ୱର ରେଳ ଷ୍ଟେସନ, ରାଜ୍ୟ ବାହାରର ଷ୍ଟେସନ ଓ ଜନଗହଳିପୂର୍ଣ୍ଣ ଜାଗାରେ ପୋଷ୍ଟର ଲଗାଇଛି ଜିଆରପି । ମୃତ ମହିଳାଙ୍କ ବିଷୟରେ ଯେଉଁ ବ୍ୟକ୍ତି ଖବର ଦେବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବ ।

ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ସବୁ ପ୍ରକାର ଉଦ୍ୟମ କରୁଥିବା ବେଳେ ଆଜି ସତ୍ୟନଗର ଶ୍ମସାନରେ ହେବ ଶେଷକୃତ୍ୟ । ଅଧିକ ଅନୁସନ୍ଧାନ ପାଇଁ ମୃତଦେହ ଦାହ ହେବା ପୂର୍ବରୁ ମହିଳାଙ୍କ ହାଡ଼, ଚୁଟି ଓ ପୋଷାକର ଫଟୋ ଉଠାଇ ରଖିବ ପୋଲିସ । ଗତ ୨୦ ତାରିଖରେ ଧାନବାଦ୍-ଭୁବନେଶ୍ୱର ଟ୍ରେନରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ । ସେ ବିବାହିତା ବୋଲି ଅନୁମାନ କରାଯାଉଛି ।