ସର୍ଭିସ ବୁକରେ ଗୋପାଳ ‘ଗୁଡ’: ମନ୍ତ୍ରୀଙ୍କୁ କାହିଁକି ମାରିଲେ ଗୁଳି?

979

କନକ ବ୍ୟୁରୋ: ନବଦାସଙ୍କୁ ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କ ସର୍ଭିସ ବୁକ ବେଶ ଭଲ । ସେ ମାନସିକ ରୋଗୀ ବୋଲି ପରିବାର ଲୋକେ କହିଛନ୍ତି । କିନ୍ତୁ ଏହି ସର୍ଭିସ ବୁକରେ ଏହାର କୌଣସି ଚିହ୍ନବର୍ଣ୍ଣ ନାହିଁ । ବରଂ ନିଜର ୨୮ ବର୍ଷର କ୍ୟାରିୟର ମଧ୍ୟରେ ସେ ପଦୋନ୍ନତି ପରେ ପରେ ପଦୋନ୍ନତି ଓ ମେଡାଲ ପରେ ମେଡାଲ ପାଇଚାଲିଛନ୍ତି । ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ

-୮ ଜୁଲାଇ ୧୯୯୨ରେ ପ୍ରଥମେ ଚାକିରି ପାଇଥିଲେ
-ପ୍ରଥମେ ଗଂଜାମ ବ୍ରହ୍ମପୁରରେ ପୋଷ୍ଟିଂ ହୋଇଥିଲା
-୯ ଅକ୍ଟୋବର ୨୦୦୯ରେ ଏଏସଆଇକୁ ପଦୋନ୍ନତି ମିଳିଥିଲା
-ହାବିଲଦାରରୁ ଏଏସଆଇ ହୋଇଥିଲେ ଗୋପାଳ
-୨୮ ନଭେମ୍ବର ୨୦୨୦ରୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ନିଯୁକ୍ତି ପାଇଥିଲେ ।

ସବୁଠାରୁ ବଡ କଥା ହେଲା, ଗୋପାଳ ଦାସ ମାନସିକ ରୋଗରେ ପୀଡିତ ଥିଲେ ବୋଲି ସର୍ଭିସ ବୁକରେ ଉଲ୍ଲେଖ ନାହିଁ । ତେଣୁ ସର୍ଭିସ ବୁକରେ ଭଲ ସାର୍ଟିଫିକେଟ ପାଇଥିବା ଗୋପାଳ ଦାସ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାହା ସମସଙ୍କୁ ଆଶ୍ଚଯ ୍ର୍ୟ କରିଛି ।

ପଦୋନ୍ନତି କଥା ଛାଡନ୍ତୁ ଭଲ କାମ ପାଇଁ ଅଭିଯୁକ୍ତ ଗୋପାଳ ଦାସଙ୍କ ଉପରେ ମେଡାଲ ବର୍ଷା । ଭଲ କାମ ପାଇଁ ୧୨ ଥର ପୁରସ୍କୃତ ହୋଇଛନ୍ତି ଗୋପାଳ ।

-୨୦୧୬ରୁ ୨୦୨୦ ମଧ୍ୟରେ ୭ ଥର ପୁରସ୍କୃତ ହୋଇଛନ୍ତି ଗୋପାଳ
-୮ ଥର ନଗଦ ରାଶି ଓ ଅନ୍ୟ ସ୍ୱୀକୃତି ବି ହାସଲ କରିଛନ୍ତି
-ସଠିକ ତଦନ୍ତ ପାଇଁ ୧୮ଟି ମେଡାଲ ପାଇଛନ୍ତି

ସର୍ଭିସ ବୁକରେ ଗୋପାଳ ନିଜ କାର୍ଯ୍ୟକାଳ ମଧ୍ୟରେ ସେଭଳି କିଛି ବଡ ଭୁଲ କରିନାହାନ୍ତି । ମାତ୍ର ଥରେ ଛୋଟିଆ ଭୁଲ ପାଇଁ ଚୋତାବନୀ ପାଇଛନ୍ତି । ଏଭଳି ଭଲ ରେକର୍ଡ ଥିବା ଜଣେ ପୁଲିସ କର୍ମଚାରୀଙ୍କ ମନରେ ଏଭଳି କଣ ହେଲା ଯେ, ସେ ମନ୍ତ୍ରୀଙ୍କୁ ନିଜ ରିଭଲଭରରୁ ଗୁଳି କରିବାକୁ ନିଷ୍ପତି ନେଲେ ତାହା ଅନେକ ସନ୍ଦେହ ସୃଷ୍ଟି କରିଛି । ଯଦି ଗୋପାଳ ମାନସିକ ରୋଗରେ ପୀଡିତ ଥିଲେ , ତାଙ୍କ ପରିବାର ଲୋକ ଏ ବାବଦରେ ପୁଲିସ ବିଭାଗରୁ ଜଣାଇଥିଲେ ନା ନାହିଁ ତାହା ଏକ ବଡ ପ୍ରଶ୍ନ ସୃଷ୍ଟି କରିଛି ।

ବର୍ତମାନ ଗୋପାଳ ଦାସଙ୍କୁ ଗିରଫ କରାଯାଇସାରିଛି । କ୍ରାଇମବ୍ରାଂଚ ତାଙ୍କୁ ଘନ ଘନ ଜେରା କରୁଛି । ପ୍ରଶ୍ନ ଉଠୁଛି, ଗୋପାଳଙ୍କ ସର୍ଭିସ ବୁକ ଗୁଡ ଥିବାବେଳେ ତାଙ୍କୁ ମାନସିକ ରୋଗୀ ଦର୍ଶାଇ ମାମଲାକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉନି ତ ।