ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଆତଙ୍କର ମାହୋଲ, ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ?

1,002

କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଭାରତୀୟ ରେଳ ବିଭାଗର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ଛିଡା କରିଛି । ବାହାନଗା ରେଳ ଦୁର୍ଘଟଣା ପରେ ଆଜି ସିକନ୍ଦରାବାଦ- ହାୱଡା ଫାଲକନୁମା ଏକ୍ସପ୍ରେସର ଯାତ୍ରୀମାନେ ଅଳ୍ପକେ ବଞ୍ଚିଯାଇଛନ୍ତି । କେହି କିଛି ବୁଝିବା ପୂର୍ବରୁ ହଠାତ୍ ହାୱଡା- ସିକନ୍ଦରାବାଦ ସୁପରଫାଷ୍ଟ ଟ୍ରେନରେ ନିଆଁ ଲାଗିଥିଲା । ତେଲେଙ୍ଗାନାର ବୋମାଇପାଲି-ପାଗିଡ଼ିପାଲିରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ,ବଗି ଜଳିବା ଆରମ୍ଭ ହୋଇଥିଲା । କେହି କିଛି ବୁଝିବା ପୂର୍ବରୁ ଯାତ୍ରୀମାନେ ଭୟରେ ଓହ୍ଲାଇପଡିଥିଲେ । କିଛି ଯାତ୍ରୀ କାହାର କିଛି କ୍ଷତି ହୋଇନାହିଁ । ହେଲେ ଯାତ୍ରୀଙ୍କ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ନିଆଁ ଲାଗି ଟ୍ରେନରୁ ଧୂଆଁ ଏଭଳି ବାହାରିଥିଲା ଯେ, ଆୟତ କରିବାକୁ ଅଗ୍ନିଶମ ବାହିନୀଙ୍କୁ କସରତ କରିବାକୁ ପଡିଥିଲା । ୪ ଦମକଳ ନିଆଁଲିଭା କାମରେ ନିୟୋଜିତ ହୋଇଥିଲେ ।

ନିଆଁ ଏତେ ଭୟଙ୍କର ଥିଲା ଯେ, ଏହା ଅନ୍ୟ କୋଚକୁ ବ୍ୟାପିଯାଇଥିଲା । ପରେ ନିଆଁକୁ ଆୟତ କରାଯାଇଛି । ଟ୍ରେନର ଏସ-୫, ଏସ-୬ ଓ ଏସ-୭ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଛି । ନିଆଁ ଲଗିବା ମାତ୍ରେ ରେଳବାଇର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଉପରେ ନଜର ରଖିଥିଲେ । ଘଟଣା ଅଗମ୍ୟ ଅଂଚଳରେ ହୋଇଥିବାରୁ ଯାତ୍ରୀମାନେ ଅସୁବିଧାକ ସମ୍ମୁଖୀନ ହୋଇଥିଲେ । ପରେ କିଛି ଯାତ୍ରୀଙ୍କୁ ବସ ଯୋଗେ ଛଡାଯାଇଛି । ସୁରକ୍ଷିତ ଥିବା ୧୧ଟି ବଗିର ଯାତ୍ରୀଙ୍କୁୁ ନେଇ ସିକନ୍ଦରାବାଦ ଅଭିମୁଖେ ଗଡ଼ିଛି ଆଉ ଏକ ଇଂଜିନ ।

ହାୱଡାରୁ ଓଡିଶା ଦେଇ ଏହି ଟ୍ରେନ ସିକନ୍ଦରାବାଦ ଯାଉଥିବାରୁ ଶହ ଶହ ଓଡିଆ ଏହି ଟ୍ରେନରେ ଯାତ୍ରା କରିଥାନ୍ତି । ତେବେ ଏକ ବଡ ଅଘଟଣ ଟଳିଯାଇଥିବାରୁ ସମସ୍ତଙ୍କୁ ଆଶ୍ୱସ୍ତି ମିଳିଛି । ନିଆଁ କାହିଁକି ଲାଗିଲା ତାର କାରଣ ସ୍ପଷ୍ଟ ହୋଇନାହିଁ । ସଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ପାଇଁ ରେଳବାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।