ବିହାର ବଜେଟ : ୭୫ ହଜାର ପୋଲିସ କର୍ମୀ ଓ ୪୨ ହଜାର ଶିକ୍ଷକ ନିଯୁକ୍ତି, ୧୦ ଲକ୍ଷ ଯୁବକଙ୍କୁ ରୋଜଗାର

105

କନକ ବ୍ୟୁରୋ : ବିହାର ବିଧାନସଭାରେ ଆଜି ୨୦୨୩-୨୪ପାଇଁ ବଜେଟ ଉପସ୍ଥାପନ କରାଯାଇଛି । ବିହାର ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ ଏହି ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ବିଶେଷ ଭାବେ ରାଜ୍ୟର ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦିଆଯାଇଛି । ଏହାସହ ବଜେଟରେ କୁହାଯାଇଛି କି ବିହାର ପୋଲିସ ବିଭାଗରେ ୭୫ ହଜାର ପଦ ପୁରଣ କରାଯିବ ସହ ରାଜ୍ୟରେ ୪୨ ହଜାର ଶିକ୍ଷକ ପଦରେ ନିଯୁକ୍ତି ଦିଆଯିବ ।

ବିହାରରେ ରୋଜଗାର ଓ ନିଯୁକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା । ଏହାକୁ ନଜରରେ ରଖି ଅର୍ଥମନ୍ତ୍ରୀ ବିଜୟ ଚୌଧୁରୀ କହିଛନ୍ତି କି, ଚଳିତ ବର୍ଷ ରାଜ୍ୟରେ ୪୨ ହଜାର ଶିକ୍ଷକ ପଦବୀ ପୁରଣ କରାଯିବ । ଏଥିରେ ବିଶେଷ ଭାବେ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକ ପଦରେ ୪୦,୫୪୬ ପଦ ପୁରଣ କରାଯିବ ବୋଲି କୁହାଯାଇଛି । ଏହାସହ ନିର୍ବାଚନୀ ଇସ୍ତାହାରରେ ତେଜସ୍ୱୀ ଯାଦବ ଯେଉଁ ୧୦ଲକ୍ଷ ଯୁବକ ଯୁବତୀଙ୍କୁ ରୋଜଗାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ତାହା ଉପରେ ମଧ୍ୟ ଆଜି ବଜେଟରେ ପ୍ରଚେଷ୍ଟା କରାଯାଇଛି ।

ବିହାର ସରକାର ଚଳିତ ବର୍ଷ ମୋଟ ୨୬୧୮୮୫କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରେ ସୋଲାର ଲାଇଟ ପାଇଁ ୩୯୨ କୋଟି, ପଶୁପାଳନ ଓ ମତ୍ସଚାଷ ପାଇଁ ୫୨୫,୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ଗ୍ରାମୀଣ ଆବାସ ସହାୟତା ଯୋଜନାକୁ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ଷ୍ଟାଇପେଣ୍ଡ ପାଇଁ ୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।