ଓଡିଶାରେ ସାରର କୁତ୍ରିମ ଅଭାବ । ଅନେକ ଅଞ୍ଚଳରେ ମିଳୁନି ସାର । କୋରାପୁଟ ଓ ନବରଙ୍ଗପୁରରେ ରାସ୍ତାକୁ ଓହ୍ଲାଇଲେ ଚାଷୀ ।

84

କନକ ବ୍ୟୁରୋ: ଚାଷୀ ଓ ଚାଷକୁ ନେଇ ଲାଗି ରହିଛି ସମସ୍ୟା । କେବେ ନିଅଣ୍ଟିଆ ବର୍ଷା ତ କେବେ ସାର ଅଭାବ । ଖରିଫ ଧାନ ଚାଷ ଆରମ୍ଭରୁ ଚାଷୀଙ୍କୁ ଅଣନିଶ୍ୱାସୀ କରି ପକାଇଲାଣି ଏହିଭଳି ସମସ୍ୟା । ସାର ଅଭାବକୁ ନେଇ ନବରଙ୍ଗପୁର ଜିଲ୍ଲାରେ ଚାଷୀ ଅଶାନ୍ତି ଜାରି ରହିଛି । ତେବେ ଏହାରି ଭିତରେ ଧାନ ଚାଷ ଆଗେଇ ନେବା ପାଇଁ ପ୍ରଶାସନ ପକ୍ଷରୁ ସାର ଯୋଗାଇ ଦେବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଶତାଧିକ ଚାଷୀ ।

ସେପଟେ ସାର ପାଇଁ କୋରାପୁଟରେ ବି ଚାଷୀ ଅସନ୍ତୋଷ  । ସାର ପାଇଁ ଲ୍ୟାମ୍ପସ ଘେରିବା ସହ ଧାରଣା ଦେଇଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ୧୫ଟି ପଞ୍ଚାୟତର ଶତାଧିକ ଚାଷୀ  ।  କୁମୁଲି କାମତା ଲ୍ୟାମ୍ପସ ଓ ଜୟପୁର ବ୍ଳକ୍ କୁମୁଲିପୁଟ ପଞ୍ଚାୟତର ଶତାଧିକ ଚାଷୀ କୁମୁଲିପୁଟ ଲ୍ୟାମ୍ପସ ସାମନାରେ ବିକ୍ଷୋଭ କରିଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ବି ସାର ନମିଳିବାରୁ ଜିଲ୍ଳାର ବିଭିନ୍ନ ସ୍ଥାନରେ ଚାଷୀ  ଆନ୍ଦୋଳନ କରିବା ସହ ଧାରଣାରେ ବସିଛନ୍ତି । କାହାକୁ ସାର ଦିଆଗଲା କିଏ ନେଲା ତାର ତାଲିକା ଦେବାକୁ ଦାବି କରିଛି ଚାଷୀ ସଙ୍ଗଠନ । ତେବେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଚାଷୀମାନେ ଅବରୋଧ ହଟାଇ ଧାରଣାରୁ ତ ଉଠିଯାଇଛନ୍ତି, ହେଲେ ଯଦି ସାର ନମିଳେ ତାହେଲେ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି  ।