ଘରୁ କାଢି ଦେଲା ବୋହୂ, କୋଳେଇ ନେଲେ ଡେପୁଟି କମିଶନର । ରାସ୍ତା କଡରୁ ଅସହାୟ ଶାଶୁ-ଶ୍ୱଶୁରଙ୍କ ଲୁହ ପୋଛି ସାହାଯ୍ୟ କଲେ ମହାନ ବ୍ୟକ୍ତି

1,069

କନକ ବ୍ୟୁରୋ: ପର ପାରିରେ ପୁଅ, ପର କରିଦେଲା ବୋହୂ । ଜନ୍ମକଲା ପୁଅର ମୃତ୍ୟୁ ହେବା ପରେ ଘରୁ ତଡିଗେଲା ବୋହୂ । ବୟସ ବଢି ଯାଇଥିବାରୁ ଆଉ ବୋଝ ହୋଇ ଘରେ ରହୁଥିବାରୁ ରାସ୍ତା ମଝିକୁ ଶାଶୁ ଶ୍ୱଶୂରଙ୍କୁ ଠେଳି ଦେଲା ବୋହୂ । ଶାଶୁ-ଶ୍ୱଶୂରଙ୍କୁ ଅକଥନୀୟ ଅତ୍ୟାଚାର ଦେଇ ନିଜ ଘରୁ ବିଦା କରିଦେବା ପରେ ବେସାହାରା ବୁଢାବୁଢିଙ୍କୁ ସାହା ହୋଇଛନ୍ତି ଡେପୁଟି କମିଶନର । ବୋହୂ ଘରୁ କାଢି ଆଣି ଯେଉଁ ରାସ୍ତା ଉପରେ ଛାଡି ଚାଲି ଯାଇଥିଲା ସେଉଠୁ ହିଁ କୋଳେଇ ନେଇଛନ୍ତି କମିଶନର ।

ପଞ୍ଜାବ ଫିରୋଜପୁରର ଏଭଳି ଏକ ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି । ସମ୍ପର୍କର ମୂଲ୍ୟ ବୁଝିନଥିବା ବୋହୂ ଯେତେବେଳେ ନିଜ ଶାଶୁ ଶ୍ୱଶୁରଙ୍କୁ ତଡ଼ିଦେଇଥିଲା, ସେତେବେଳେ ରକ୍ତ ସମ୍ପର୍କ ନଥାଇ ବି ଡେପୁଟି କମିଶନର ବୁଢା ବାପା-ମାଙ୍କୁ ନିଜର କରିନେଇଛନ୍ତି । ଫିରୋଜପୁରର ସଲବୀନ୍ଦ୍ର ସିଂ ଓ ତାଙ୍କ ପତ୍ନୀ ମହିନ୍ଦର କୌରଙ୍କ ପୁତ୍ରର ମୃତ୍ୟୁ ପରେ ନିଜ ବୋହୂ କିଭଳି ଆର୍ଥିକ ଭାବେ ସ୍ଵଛଳ ହେବ ସେଥିପାଇଁ ସମସ୍ତ ସମ୍ପତ୍ତି ସହ ଘର ବୋହୂ ନାମରେ କରିଦେଇଥିଲେ । ଏହା ପରେ ବୋହୂ ନିଜର ପ୍ରକୃତ ରୂପ ଦେଖାଇଥିଲା ।

ଶାଶୁ-ଶ୍ୱଶୁରଙ୍କୁ ଘରୁ ତଡ଼ିଦେବା ପରେ ଜମିରେ ମଧ୍ୟ ଚାଷ କରିବାକୁ ଅନୁମତି ଦେଇନଥିଲେ । ଏହା ପରେ ନିରାଶ୍ରୟ ଭାବେ ଉଭୟ ସଲବୀନ୍ଦ୍ର ଓ ମହିନ୍ଦର ବୁଲୁଥିବାବେଳେ ଡେପୁଟି କମିଶନର ଚନ୍ଦର ଗେଂଦଙ୍କ ନଜରରେ ପଡ଼ିଥିଲେ ବୁଢାବୁଢି । ଏହାପରେ ଡେପୁଟି କମିଶନର ମହିନ୍ଦରଙ୍କୁ କୁଣ୍ଢେଇ କହିଥିଲେ ଯେ ‘ମା ଆଜିଠାରୁ ମୁଁ ଆପଣଙ୍କ ପୁଅ, କୌଣସି ବି ଅସୁବିଧା ହେଲେ ମତେ ଜଣାଇବେ’ ।

କେବଳ ଏତିକି ନୁହେଁ ଶାଶୁ-ଶ୍ୱଶୁରଙ୍କୁ ତୁରନ୍ତ ନିଜ ଘରେ ରହିବାକୁ ଦିଆଯାଉ ବୋଲି ସେ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହା ପରେ କିନ୍ତୁ ବୋହୂ ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । କୋର୍ଟ ବୋହୂକୁ ଦୁଇଟି ବଖରା ଛାଡି ବାକି ଘର ସଲବୀନ୍ଦ୍ର ଓ ମହିନ୍ଦରଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ବି ବୋହୂ ଅଣଦେଖା କରିଥିଲା । ଏଭଳି ଖବର ଜାଣିବା ପରେ ଡେପୁଟି କମିଶନର ନିଜେ ଯାଇ କିଭଳି ଘର ପାଇପାରିବେ ସେ ବ୍ୟବସ୍ଥା କରିଥିଲେ । ଏବେ ନିଜ ଘରେ ଏହି ବୃଦ୍ଧ ଦମ୍ପତ୍ତି ଖୁସିରେ ରହୁଛନ୍ତି ।